ନୌସେନାକୁ ହସ୍ତାନ୍ତର ହେଲା ବାଗିର

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ମହାସାଗରରେ ଚାଲିବନି ଚୀନର ଦାଦାଗିରି । ବଢିଲା ନୌସେନାର ଶକ୍ତି । ଭାରତୀୟ ନୌସେନାକୁ ହସ୍ତାନ୍ତର ହୋଇଛି ପ୍ରୋଜକ୍ଟ-୭୫ ଅଧୀନରେ ନିର୍ମିତ କଳବରୀ ଶ୍ରେଣୀର ପଞ୍ଚମ ବୁଡାଜାହାଜ ବାଗିରକୁ ହସ୍ତାନ୍ତର କରାଯାଇଛି । ଆସନ୍ତାମାସରେ ବିଧିବଦ୍ଧ ଭାବରେ ଏହାକୁ ନୌସେନାରେ ସାମିଲ କରାଯିବ । ପ୍ରୋଜେକ୍ଟ-୭୫ ଅଧିନରେ ନିର୍ମିତ ହେବାକୁ ଥିବା ୬ଟି ବୁ଼ଡାଜାହାଜ ମଧ୍ୟରୁ ଏହା ପଞ୍ଚମ ।

ଫ୍ରାନ୍ସର ନାଭାଲ ଗ୍ରୁପ ସହାୟତାରେ ମୁମ୍ବାଇର ମଜଗାଓଁ ଡକ ସିପ ବିଲଡର୍ସ ଲିମିଟେଡରେ ସ୍ବଦେଶୀ ଜ୍ଞାନ କୌଶଳରେ ଏହାର ନିର୍ମାଣ ଚାଲିଛି । ୨୦୨୦ ନଭେମ୍ବର ୧୨ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତବର୍ଷ ଫେବୃଆରୀ ୧ରୁ ବିଭିନ୍ନ ପର୍ଯ୍ୟାୟରେ ଏହାର ସାମୁଦ୍ରିକ ପରୀକ୍ଷା କରାଯାଇଥିଲା । ଅନ୍ୟ ବୁଡାଜାହାଜଠୁ କମ ସମୟ ମଧ୍ୟରେ ଏହାର ଅସ୍ତ୍ରଶସ୍ତ୍ର ଓ ସେନସର ପରୀକ୍ଷା ସଫଳ ହୋଇଛି ବୋଲି ନୌସେନା ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି ।

ଭାରତରେ ଏହି ବୁ଼ଡାଜାହାଜ ନିର୍ମାଣ କରାଯିବା ଆତ୍ମନିର୍ଭର ଭାରତର ଏକ ଉଦାହରଣ । ୨ ବର୍ଷ ଭିତରେ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯିବାରେ ଏହା ହେଉଛି ତୃତୀୟ ବୁଡାଜାହାଜ । ସାମୁଦ୍ରିକ କ୍ଷେତ୍ରରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ହେବ । ଭାରତ ମହାସାଗରରେ ଚୀନର କାର୍ଯ୍ୟକଳାପକୁ ଦେଖି ଭାରତୀୟ ନୌସେନାର ସାମୁଦ୍ରିକ କ୍ଷମତା ବୃଦ୍ଧି କରାଯାଉଛି । ବାଗିର ନୌସେନାକୁ ହସ୍ତାନ୍ତର ସମୟରେ ସମସ୍ତ ନୌସେନାର ଅଧିକାରୀ ଉପସ୍ଥିତ ଥିଲେ ।