ଦେବଗଡ଼ରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଖରିଫ ଧାନ କ୍ରୟ ନିମନ୍ତେ ଦେବଗଡ଼ ଜିଲ୍ଲାରେ ଆଜି ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ତିଳେଇବଣି ବ୍ଲକ ସୁଗୁଡ଼ା କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସୋମେଶ ଉପାଧ୍ୟୟ, ରିଆମାଳ ବ୍ଲକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ ଓ ବାରକୋଟ ବ୍ଲକ ବସାଲୋଇ ପଞ୍ଚାୟତରେ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଫିତା କାଟି ମଣ୍ଡିର ଶୁଭାରମ୍ଭ କରିଥିବା ଜଣାପଡ଼ିଛି । ଚଳିତ ଖରିଫ ଋତୁରେ ଜିଲ୍ଲାର ୨୯ ସେବା ସମବାୟ ସମିତି ଜରିଆରେ ୪୫ ପିପିସି ସେଣ୍ଟରରେ ୨୦ ହଜାର ୧୫୭ ପଞ୍ଜିକୃତ ଚାଷୀଙ୍କଠାରୁ ଏଫଏକ୍ୟୁ ମାନର ଧାନ ୨ ହଜାର ୪୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଏବଂ ଏଏଫଏକ୍ୟୁ ଧାନ ୨ହଜାର ୬୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଦରରେ ସାଢ଼େ ୫ଲକ୍ଷ କ୍ୱିଣ୍ଟାଲ ଧାନ ସେବା ସମବାୟ ସମିତି ଜରିଆରେ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ସାରିଛି । ସେହିପରି ଚଳିତ ବର୍ଷ ଜିଲ୍ଲାରେ ପ୍ରଥମଥର ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ତିଳେଇବଣି ବ୍ଲକର ପାଳକୁଦର ଓ ରିଆମାଳ ବ୍ଲକର ତେଲିମୁଣ୍ଡାରେ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଏସଏଆରସିଏସ ନିମାଇଁ ଚରଣ ନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନ, ଏଆରସିଏସ ପଦ୍ମଲୋଚନ ବେହେରା, ସୁଗୁଡ଼ା ସେବା ସମବାୟ ସମିତି ସଭାପତି ସିଦ୍ଧେଶ୍ୱର ଗୁରୁ, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ମିଲର ସଞ୍ଜୀବ ଅଗ୍ରୱାଲ ଓ ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କରଙ୍କ ସମେତ ବହୁ କୃଷକ ଯୋଗଦେବା ସହ ଟୋକନ ପାଇଥିବା ଚାଷୀ ମଣ୍ଡିରେ ନିଜ ଧାନ ବିକ୍ରି କରିଥିଲେ ।