ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆଶାକର୍ମୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ନବରଙ୍ଗପୁର ଶାଖା ପକ୍ଷରୁ ୭ ଦଫା ଦାବି ନେଇ ଆନ୍ଦୋଳନ କରାଯାଉଥିଲା । ସଂଘ ପକ୍ଷରୁ ହଜାରେରୁ ଊର୍‌ଦ୍ଧ୍ୱ ଆଶାକର୍ମୀ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ପୁଲିସ ଓ ଆଶାକର୍ମୀଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ହୋଇଥିଲା । ଶେଷରେ ଆଶାକର୍ମୀ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ । ମାସକୁ ୧୮ହଜାର ଦରମା, ଅବସର ପରେ ଏକକାଳୀନ ୫ଲକ୍ଷ ଟଙ୍କା ଓ ମାସକୁ ୫ ହଜାର ପେନସନ୍ ପ୍ରଦାନ ସମେତ ୭ ଦଫା ଦାବିରେ ଆନ୍ଦୋଳନ କରୁଥିଲେ । ପୁଲିସ ସେମାନଙ୍କୁ ଗିରଫ କରିବା ସହ ୪୧ ସିଆରପିସିରେ ଛାଡ଼ି ଦେଇଛି । ଏଥିରେ ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ହରିଜନ, ସମ୍ପାଦିକା ସଞ୍ଜୁ ନାୟକ ଓ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ୱର ବିଷୋୟୀ ପ୍ରମୁଖ ନେତୃତ୍ୱ ନେଇଥିଲେ । ମାଜିଷ୍ଟ୍ରେଟ ଭାବେ ରବିନ୍ଦ୍ର କୁମାର ରାଉତ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଦାୟିତ୍ୱରେ ଥିଲେ ।