ଗୁଜୁରାଟ ବିଧାନସଭା ନିର୍ବାଚନ: ୯୩ ବିଧାନସଭା ଆସନରେ ଚାଲିଛି ଭୋଟିଂ

ଅହମ୍ମଦାବାଦ,ଏଜେନ୍ସି: ଗୁଜୁରାଟ ବିଧାନସଭା ନିର୍ବାଚନ ନେଇ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୮ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ ୧୪ ଜିଲ୍ଲାରେ ୯୩ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି । ମଇଦାନରେ ମୋଟ ୮୩୩ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୨.୫୪ କୋଟି ଭୋଟର ସେମାନଙ୍କ ବିଧାୟକ ବାଛୁଛନ୍ତି ।

ଅହମ୍ମଦାବାଦ, ଭଦୋଦରା, ଗାନ୍ଧିନଗର ଭଳି ଗୁରୁତ୍ବପୂର୍ଣ୍ଣ ଆସନରେ ଭୋଟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରୁ ଭୋଟ ଦେବେ । ମତଦାନ ପାଇଁ ମୋଟ ୨୬ ହଜାର ୪୦୯ ମତଦାନ କେନ୍ଦ୍ର ରହିଛି । ଏଥିପାଇଁ ମୋଟ୍ ୩୬ ହଜାର ଇଭିଏମ୍ ମେସିନ ବ୍ୟବହାର କରାଯିବ । ୧୪ଟି ଜିଲ୍ଲାରେ ୨୯ ହଜାର ପ୍ରିଜାଇଡିଂ ଅଫିସର ଏବଂ ୮୪ ହଜାରରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଯୁବ ଓ ମହିଳା ଭୋଟରଙ୍କୁ ବିପୁଳ ସଂଖ୍ୟାରେ ମତଦାନ ସାବ୍ୟସ୍ତ କରିବାକୁ ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭାଜପା ଓ କଂଗ୍ରେସ ସମସ୍ତ ୯୩ ଆସନରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ୯୦ ଆସନରେ ନିର୍ବାଚନ ଲଢୁଛି । ସେହିପରି ଏସପିରୁ ୪୪, ସିପିଆଇ ୪, ବିଟିପିରୁ ୧୨, ସ୍ୱାଧୀନ ଭାବେ ମୋଟ ୨୮୫ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେହିପରି ଏଆଇଏମ୍‌ଆଇଏମ୍‌ରୁ ୭ ଜଣ ଏବଂ ୨୦୪ ଜଣ ଅନ୍ୟାନ୍ୟ ପାର୍ଟିରୁ ପ୍ରାର୍ଥୀ ରହିଛନ୍ତି । ସେହିପରି ପ୍ରମୁଖ ରାଜନୈତିକ ଦଳ ବ୍ୟତୀତ ଛୋଟ ତଥା ଆଞ୍ଚଳିକ ଦଳକୁ ମିଶାଇ ପ୍ରାୟ ୬୦ଟି ରାଜନୈତିକ ଦଳ ପ୍ରତିଦ୍ବନ୍ଦ୍ବିତାରେ ଅଂଶଗ୍ରହଣ କରିଛନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୯୩ ଆସନରୁ ୫୧ ସିଟରେ ବିଜୟ ହାସଲ କରିଥିଲା । କଂଗ୍ରେସ ୩୯ ହାସଲ କରିଥିଲା । ମଧ୍ୟ ଗୁଜୁରାଟରେ ବିଜେପି ୩୭ ଏବଂ କଂଗ୍ରେସ ୨୨ଟି ଆସନରେ ବିଜୟ ହାସଲ କରିଥିଲା । ମାତ୍ର ଉତ୍ତର ଗୁଜୁରାଟରେ କଂଗ୍ରେସ ପଲ୍ଲା ଭାରିଥିଲା। ୧୭ ଆସନରେ ବିଜୟ ହାସଲ କରିଥିଲା। ବିଜେପି ମାତ୍ର ୧୪ଟି ଆସନରେ ଜିତିଥିଲା ।