ମାନସିକ ରୋଗୀଙ୍କ ପାଇଁ ବାସଗୃହ ପାଲଟିଛି ରାସ୍ତାକଡ଼

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର ଗରିବ, ନିରୀହ, ଅସହାୟ ଓ ମାନସିକ ଭାରସାମ୍ୟ ହରାଇଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବାବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ତାହା ବାଟବଣା ହୋଇପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବ୍ଲକର ନବୀନ ଛକରେ ଜଣେ ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତି ବସବାସ କରୁଥିବା ଦେଖିବାକୁ ମିଳିଛି । ଏଭଳି ଶୀତ କାକରରେ ଦିନ କାଟୁଥିବାବେଳେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ମଧ୍ୟ ପଡୁ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟ ଫେଲ ମାରିଥିବା ନେଇ ଆଲୋଚନା ହେଉଛି । ଏହି ରାସ୍ତା ଦେଇ ଅନେକ ରାଜନେତା, ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଯା’ଆସ କରିବା ସତ୍ୱେ ଏଥିପ୍ରତି କାହାରି ନିଘା ନାହିଁ । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉଦ୍ଧାର କରି ଚିକିତ୍ସା କରିବାକୁ ଦାବି ହେଉଛି ।