ନବରଙ୍ଗପୁର, ଏନ୍ଏନ୍ଏସ୍: ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ନେହୁରୁ ଯୁବ କେନ୍ଦ୍ର, ରାଜନୀତି ବିଭାଗ, ଜିଲ୍ଲା ପ୍ରଶାସନ ତଥା ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଓ ମୋ କଲେଜ ଅଭିଯାନ ତରଫରୁ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କର୍ମଶାଳାକୁ ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ଉଦଘାଟନ କରି ଭାରତୀୟ ସମ୍ବିଧାନର ଗୁରୁତ୍ୱ ଓ ବିଶ୍ୱରେ ରହିଥିବା ମର୍ଯ୍ୟାଦା ଉପରେ ଆଲୋକପାତ କରିବା ସହ ସମ୍ବିଧାନରେ ନିହିତ ଆଦର୍ଶ ସବୁର ପ୍ରତିପାଳନ ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ଡା. ରାଧାନାଥ ବେହେରା ଯୋଗଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସମ୍ବିଧାନ, ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତାଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା. ବିଜୟ କୁମାର ମିଶ୍ର ଯୋଗଦେଇ ରାଜନୀତି ବିଜ୍ଞାନରେ ସମ୍ବିଧାନର କ୍ରମବିକାଶ ଓ ବର୍ତ୍ତମାନ ସମୟରେ ତା’ର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ପ୍ରତିଭାର ବିକାଶ ପାଇଁ ସାମ୍ବିଧାନିକ ନିୟମ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା କାର୍ଯ୍ୟାଶାଳାକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରକୃତରେ ସମ୍ବିଧାନ ଦିବସ ପାଳନ ଦ୍ୱାରା ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି ସହ ଆଗାମୀ ଦିନରେ ଏକ ସୁଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସହାୟକ ହୋଇପାରିବ ବୋଲି ସାମୂହିକ ମତପ୍ରକାଶ ପାଇଛି ।