ଭଦ୍ରକ,ଏନ୍ଏନ୍ଏସ୍: ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପିଏକ୍ସଇର ୧୨୮ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଡିଆରଡିଓ ପଡ଼ିଆରେ ପିଏକ୍ସଇର ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପିଏକ୍ସଇ ନିର୍ଦ୍ଦେଶକ ଡିକେ ଯୋଶୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ପ୍ରତିରକ୍ଷା କ୍ଷେତ୍ରରେ ଗୋଳାବାରୁଦ ପରୀକ୍ଷଣ ଠାରୁ ବିଭିନ୍ନ ଯନ୍ତ୍ରପାତିର ପ୍ରୟୋଗ ତଥା ପରୀକ୍ଷାରେ ଏହି ବିଭାଗ ୧୨୮ ବର୍ଷରେ ପଦାର୍ପଣ କରିବା ସହ ରାଷ୍ଟ୍ର ପାଇଁ ଗୌରବ ଆଣି ପାରିଛି । ବିଶ୍ୱର ଅଦ୍ୱିତୀୟ ଫ୍ଲାଟ ବେଳାଭୂମି ଭାବେ ଚାନ୍ଦିପୁରକୁ ଚୟନ ସହ ତତ୍କାଳୀନ ବ୍ରିଟିଶ ସରକାର ଏଠାରେ ପିଏକ୍ସଇ ସ୍ଥାପନ କରିଥିଲେ । ଇତିମଧ୍ୟରେ ଦୀର୍ଘଦିନ ବିତିଯାଇଥିବା ବେଳେ ଭାରତର ପ୍ରତିରକ୍ଷା ବିଭାଗ ପାଇଁ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇପାରିଛି । ଜାତୀୟ ପ୍ରତିରକ୍ଷା ପ୍ରସ୍ତୁତିରେ ଉଲ୍ଲେଖନୀୟ ଅବଦାନ ପାଇଁ ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ସହ ପିଏକ୍ସଇର କର୍ମଚାରୀ ୟୁନିଅନ୍ ଏବଂ ଆସୋସିଏସନ୍ର ସହଯୋଗକୁ ଶ୍ରୀ ଯୋଶୀ ପ୍ରଶଂସା କରିଥିଲେ ।