କର୍ଲାମୁଣ୍ଡା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ ଏକ ଅନୁନ୍ନତ ଅଞ୍ଚଳ ଭାବେ ସାରା ରାଜ୍ୟରେ ପରିଚିତ। ଏହି ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଅନେକ ଅସୁବିଧା ଦେଇ ଗତିକରୁଛନ୍ତି। ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନଥିଲା। ବର୍ତ୍ତମାନ କର୍ଲାମୁଣ୍ଡା ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତା ମୁଗ୍ରୀ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ଓ ଅଞ୍ଚଳର ବିକାଶ ପାଇଁ ଦିନ ରାତି ଆକ୍ସନ ମୁଡରେ କାର୍ଯ୍ୟ କରୁଛନ୍ତି। ଫଳରେ ସାଧାରଣ ଲୋକଙ୍କ ପ୍ରିୟ ପାତ୍ର ହେବାରେ ଲାଗିଛନ୍ତି।
ଅଫିସ କାର୍ଯ୍ୟ ସମାପ୍ତ କରି ଲୋକଙ୍କ ଗହଣରେ ରାତ୍ରି ପ୍ରାୟ ୭ଟା ସମୟରେ ରିଷିଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆଦିବାସୀ ଅଧ୍ୟୁଷିତ ଗ୍ରାମ ବହଳମୁଣ୍ଡାରେ ୪୦ ଜଣ ଶ୍ରମିକ ଓ ତେରେସିଂହା ଗ୍ରାମ ପଞ୍ଚାୟତର ବିନ୍ଧାଣି ଗ୍ରାମର ୭୦ ଜଣ ଶ୍ରମିକଙ୍କ ସହ ନରେଗା ଆସିଷ୍ଟାଣ୍ଡ ବିରଞ୍ଚି ଗହୀର ପହଞ୍ଚି ଅଣ କୁଶଳୀ ଶ୍ରମିକ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ।
ଆଗାମୀ ଦିନରେ ମନରେଗା ଯୋଜନାରେ ସାମିଲ ହୋଇ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ଉତ୍ସାହ କରିଥିଲେ। ଏହି ଅଞ୍ଚଳର ବିକାଶ ପାଇଁ ମୁଁ ପ୍ରତିଶୃତି ବଦ୍ଧ ଓ ଆଗାମୀ ଦିନରେ କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ୬୦ ଖଣ୍ଡ ରାଜସ୍ୱ ଗ୍ରାମକୁ ଯାଇ ଅଣକୁଶଳୀ ଶ୍ରମିକ ମାନଙ୍କୁ ଉତ୍ସାହ କରିବି ବୋଲି ସୁଶ୍ରୀ ମୁଗ୍ରୀ ମତ ପ୍ରକାଶ କରିଛନ୍ତି। ସୁଶ୍ରୀ ମୁଗ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି କର୍ଲାମୁଣ୍ଡା ବ୍ଲକ୍ର ଜନସାଧାରଣ ଓ ଶିକ୍ଷାବିତ୍ ମାନେ ପ୍ରଶଂସା କରିବା ସହ ଏଭଳି ନିଷ୍ଠାପର ଓ ସଚ୍ଚୋଟ ଅଧିକାରୀଙ୍କୁ ପାଇଁ ଗର୍ବିତ ବୋଲି ମତ ପ୍ରକାଶ ପାଉଛି।