ରାଞ୍ଚି,ଏଜେନ୍ସି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢିପାରେ ଅଡୁଆ । ଖଣି ଦୁର୍ନୀତି ମାମଲାରେ ସୋରେନଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) । ଏହି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆସନ୍ତାକାଲି(ଗୁରୁବାର) ତାଙ୍କୁ ହାଜର ହେବାକୁ ସମନ ଜାରି ହୋଇଛି । ପିଏମ୍ଏଲ୍ଏ ଆକ୍ଟ ଅନୁସାରେ ଇଡି ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବା ସମନରେ କୁହାଯାଉଛି । ଗୁରୁବାର ପୂର୍ବାହ୍ନରେ ସୋରେନ ଜେରା ପାଇଁ ରାଞ୍ଚି ସ୍ଥିତି ଇଡି ଅଫିସରେ ପହଞ୍ଚିବେ ।
ପ୍ରକାଶଥାଉ କି, ନିକଟରେ ଇଡି ଖଣି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି । ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜୁଲାଇ ୮ ତାରିଖରେ ପଙ୍କଜ ମିଶ୍ରା ଓ ତାଙ୍କ ବ୍ୟବସାୟିକ ସହଯୋଗୀଙ୍କ ସହ ଜଡିତ ୧୯ଟି ଠିକଣାରେ ଚଢାଉ କରିଥିଲା । ତେବେ ରାଜ୍ୟରେ ବେଆଇନ ଖଣି ଖନନ ମାମଲାରେ ଅଦ୍ୟାବିଧି ୧୦୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଚିହ୍ନଟ ହୋଇଥିବା ଇଡି ସୂଚନା ଦେଇଛି ।