ମହିଳାକୁ ହତ୍ୟା, କାରଣ ଅସ୍ପଷ୍ଟ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଆମ୍ବପାଲି ଗାଁର ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ମତେ, ଆମ୍ବପାଲି ଗାଁର ଜାନକୀ ମହାନନ୍ଦ(୪୮) ବିଲକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜିବା ଆରମ୍ଭ କରିଥିଲେ। ପରେ ମହିଳାଙ୍କୁ ଅଚେତ ଅବସ୍ଥାରେ ପାଇ ତାଙ୍କୁ ପରିବାର ଲେକେ ସଇଁତଲା ଡାକ୍ତରଖାନାକୁ ନେଇଥିଲେ।

ହେଲେ ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ କେଉଁ କାରଣରୁ କିଏ ଏଭଳି କାଣ୍ଡ ଘଟାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ। ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ସଇଁନ୍ତଲା ଡାକ୍ତରଖାନାରେ ଆସି ତଦନ୍ତ ଆରମ୍ଭ କରିଛି।