ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ: ନାବାଳିକା ଛାତ୍ରୀକୁ ପ୍ରେମ ନିବେଦନ କରି ଗିରଫ ହେଲେ ଗଣିତ ଶିକ୍ଷକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଭୁଲ ପ୍ରମାଣିତ ହେଲା ଗଣିତ ଶିକ୍ଷକଙ୍କ ଅଙ୍କ। ପୁଣି ଥରେ କଳଙ୍କିତ ହେଲା ଗୁରୁ ଶିଷ୍ୟ ସମ୍ପର୍କ। ନାବାଳିକା ଛାତ୍ରୀକୁ ପ୍ରେମ ନିବେଦନ କରିବା ସହ ବଳପୂର୍ବକ ଆଲିଙ୍ଗନ କରି ବନ୍ଧା ହେଲେ ଗଣିତ ଶିକ୍ଷକ। ଏଭଳି ଘଟଣା ଘଟିଛି ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ନୋଡାଲ ୟୁପି ସ୍କୁଲରେ। ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ୫୨ ବର୍ଷୀୟ ଗଣିତ ଶିକ୍ଷକ ସୋମନାଥ ପ୍ରଧାନ ଦୀର୍ଘ ଦିନ ଧରି ବିଭିନ୍ନ ଆଳରେ ପିଛା କରିବା ସହ ପ୍ରେମ ନିବେଦନ କରି ଆସୁଥିଲେ। ଏହି କ୍ରମରେ ଗତ ୨୭ ତାରିଖ ଦିନ ଆଳ କରି ଶିକ୍ଷକ ସୋମନାଥ ଛାତ୍ରୀଙ୍କ ଘରକୁ ମଧ୍ୟ ପହଞ୍ଚି ଥିଲେ।

ଗତକାଲି ଶିକ୍ଷକ ଜଣକ ବିଦ୍ୟାଳୟର ଏକ କୋଠରିରେ ଛାତ୍ରୀ ଜଣକୁ ବଳପୂର୍ବକ ଆଲିଙ୍ଗନ କରିବା ସହ ଶରୀରର ବିଭିନ୍ନ ଅଙ୍ଗ ସ୍ପର୍ଶ କରିଥିଲେ। ଫଳରେ ଛାତ୍ରୀ ଜଣକ ବିଦ୍ୟାଳୟରେ କାନ୍ଦିବା ସହ ଘରକୁ ଯାଇ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ତୁରନ୍ତ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ନିକଟରେ ଅଭିଯୋଗ କରିବା ପରେ ବିଦ୍ୟାଳୟରେ ପରିଚାଳନା କମିଟି, ସରପଞ୍ଚ ଓ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ପୀଡିତା ଛାତ୍ରୀ ଓ ପରିବାର ଲୋକଙ୍କ ସହ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

ଅଭିଯୋଗ ଆଧାରରେ ପୁଲିସ ଦଫା ୩୫୪(ଏ), ୩୫୪(ଡି) ସହ ପୋସ୍କୋ ଓ ଆଟ୍ରୋସିଟି ଆକ୍ଟର ବିଭିନ୍ନ ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି। ଗତ ୨୩ ତାରିଖ ଦିନ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ସିଆରମାଳିଆ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ସାହୁ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଅନୁରୂପ ଭାବେ ଅଶ୍ଳୀଳ ଆଚାରଣ କରି ଜେଲ ହାଜତକୁ ଯାଇଥିବା ବେଳେ ଏକ ସପ୍ତାହ ମଧ୍ୟରେ ଶିକ୍ଷକଙ୍କ ଦ୍ଵାରା ନାବାଳିକା ଛାତ୍ରୀ ଅଶ୍ଳୀଳ ଆଚରଣର ଶିକାର ହେବା ଓ ଶିକ୍ଷକ ପୁଲିସ ହାତରେ ବନ୍ଧା ହେବା ଏହା ଦ୍ଵିତୀୟ ଘଟଣା।