ବିଦ୍ୟାଳୟ ପରିସରରେ ଡ଼ାଳ ପଡି ଛାତ୍ର ମୃତ, ଉତେଜନା : ପ୍ରଧାନଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ବିଦ୍ୟାଳୟ ପରିସରରେ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ଏକ ଗଛର ଡ଼ାଳ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗୁରୁବାର ଅପରାହ୍ନରେ ଏଭଳି ଏକ ଅଘଟଣ ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କ୍ଷେତ୍ରବାସୀ ନୋଡ଼ାଲ ହାଇସ୍କୁଲରେ । ମୃତ ଛାତ୍ରଙ୍କ ନାମ ରୀତେଶ ପ୍ରଧାନ । ସେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲେ । ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ବିଦ୍ୟାଳୟକୁ ଘେରାଉ କରିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ପରିସରରେ ଅଟକ ରଖି ହୋ ହାଲ୍ଲା କରିବା ଫଳରେ ସେଠାରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ଖବର ପାଇ ଟାଙ୍ଗି ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଅନ୍ୟପକ୍ଷରେ ଘଟଣାରେ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦୟନାଥ ତ୍ରିପାଠୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କାର୍ୟ୍ୟରୁ ନିଲମ୍ବନ କରିଛନ୍ତି । ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି ।

ଆଜି ଅପରାହ୍ନରେ ଖେଳ ଛୁଟି ସମୟରେ ରୀତେଶ ନିଜର ଅନ୍ୟ କିଛି ସାଙ୍ଗଙ୍କ ସହିତ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ଫନି ବାତ୍ୟା ଠାରୁ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ଏହି ଶୁଖିଲା ଡ଼ାଳଟି ହଠାତ୍ ଭାଙ୍ଗି ତାଙ୍କ ଉପରେ ପଡିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ନିରାକାରପୁର ଓ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଶେଷ ଖବର ସୁଦ୍ଧା ବିଦ୍ୟାଳୟ ପରିସରରେ ଉତେଜନା ଲାଗି ରହିଛି ।