ଚାଷକାର୍ଯ୍ୟରେ ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ଉପଯୋଗ କରିବା ସମ୍ପର୍କିତ କୃଷକ ସମ୍ମିଳନୀ

ରାମନାଗୁଡା,ଏନ୍ଏନ୍ଏସ୍: ଚାଷକାର୍ଯ୍ୟରେ ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି, ଡ୍ରିପ ଜଳସେଚନର ଉତ୍ତମ ବ୍ୟବହାର, ଜୈବିକ ସାରର ପରିଚାଳନା ଓ ବ୍ୟବହାର ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନ ଉଦ୍ଦେଶ୍ୟରେ ଆଜି ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଗୋଗୁପାଡୁ ଗ୍ରାମ ପାଞ୍ଚାୟତର କାଟିକି ଗ୍ରାମରେ ଏକ ଦିନିକିଆ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ କୃଷକ ଶ୍ରୀ ଭି.ମୁରଲୀ କ୍ରୀଷ୍ଣାଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କୃଷକ ସମ୍ମିଳନୀରେ ଗୋଗୁପାଡୁ ପାଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ମାଣ୍ଡିଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭି.ମୁରଲୀ କ୍ରୀଷ୍ଣାଙ୍କ ଚାଷ ଉପରେ ବ୍ୟବହାର କରିଥିବା ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତିର କୌଶଳକୁ ପ୍ରଶଂସା କରିଥିଲେ।

ଏହି ନୂତନ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତିକୁ ଚାଷକାର୍ଯ୍ୟରେ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଉପସ୍ଥିତ ଥିବା ସ୍ଥାନୀୟ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଭି.ମୁରଲୀ କ୍ରୀଷ୍ଣା ଏକ ଉଚ୍ଚଶିକ୍ଷିତ ବ୍ୟକ୍ତି। ସେ ବିଇଟେକ୍‌ ପାଠପଢି ଏକ କମ୍ପାନୀରେ ଚାକରି କରୁଥିଲେ। କିନ୍ତୁ ଚାଷ ଉପରେ ତାଙ୍କର ଅଧିକ ଇଚ୍ଛା ଥିବାରୁ ସେ ଚାକରି ଛାଡି ଚାଷକୁ ନିଜର ଆଦର୍ଶ ରୂପେ ଗ୍ରହଣ କରିଛନ୍ତି। ଏବେ ସେ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟ ଚାଷୀମାନଙ୍କୁ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ମୁରଲୀ କ୍ରୀଷ୍ଣା ପ୍ରକାଶ କରିଛନ୍ତି।

ଗୋଗୁପାଡୁ ଗ୍ରାମପାଞ୍ଚାୟତର କାଟିକି ଗ୍ରାମରେ ଭି.ମୁରଲୀ କ୍ରୀଷ୍ଣା ଓ ବି.ମହେଶ୍ଵର ରାଓ ମିଶି ୨୨ ଏକର ଜମିରେ ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତିରେ କୋକୋ, ପାମ୍‌ ତେଲ, କଦଳୀ, ନଡିଆ, ମକା ଓ ବିଭିନ୍ନ ପ୍ରକାରର ଆର୍ଥିକ ଉତ୍ପାଦନ ଚାଷ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଏହି ଆଧୁନିକ ପ୍ରଣାଳୀ ପଦ୍ଧତିକୁ ସ୍ଥାନୀୟ ଚାଷୀ ମାନେ ଅବଲମ୍ବନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏହି କୃଷକ ସମ୍ମିଳନୀ ଗୋଗୁପାଡୁ ଗ୍ରାମ ପାଞ୍ଚାୟତର ସୁଲୁଡି, ସିକିଲା, ଗୋଟା, ସୁଲୁଡିଗୁଡା, କାଟିକି, ସୁଲୁଡିପାକା ଗ୍ରାମରୁ ପ୍ରାୟ ୮୦ ଜଣ କୃଷକମାନେ ଯୋଗଦେଇଥିଲେ।