ପୁରୀ,ଏନ୍ଏନ୍ଏସ୍: ଗତକାଲି(ଶୁକ୍ରବାର) ପୁରୀ ଜିଲ୍ଲା ଲଳିତ କଳା ଆର୍ଟ ଗ୍ୟାଲେରୀ ପରିସରରେ କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ୨୦୨୨ ଉଦଘାଟିତ ହୋଇଯାଇଛି । ହାଇଦ୍ରାବାଦର କଳା ନିର୍ବାଣ ପକ୍ଷରୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ୯ଟି ଦେଶର ୬୦ଟି କଳା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳା ନିର୍ବାଣର ନିର୍ଦ୍ଦେଶକ ଆଶିଷ ପହି, ଚିତ୍ରକାର ଚନ୍ଦ୍ରଶେଖର ମହାରଣା, ପରେଶ ନାଥ, ହୋଟେଲିୟର ରାଜୁ ପାତ୍ର, କଳା ପ୍ରେମୀ ପଦ୍ମନାଭ ପଣ୍ଡା ଓ ଆର୍ଟ ଗ୍ୟାଲେରୀର ପରିଚାଳକ ସତ୍ୟ ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ବିଶ୍ୱରେ ଓଡିଶା କଳାର ଲୋକପ୍ରିୟତା ବଢାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିବାବେଳେ ଓଡ଼ିଶାରେ ଏହା ପ୍ରଥମ କରି ପୁରୀ ସହରରେ ମହାପ୍ରଭୁଙ୍କ କ୍ଷେତ୍ରରେ ଆୟୋଜନ କରାଯାଇଛି । ଏହି ଅବସରରେ କୋଣାର୍କ ଇଣ୍ଟରନ୍ୟାସନାଲର ପୁସ୍ତକର ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏଥିରେ ଦେଶ ତଥା ଦେଶ ବାହାରର ଚିତ୍ରକାର ମାନେ ଯୋଗଦେଇଥିଲେ ।
ଏନେଇ କଳା ନିର୍ବାଣ ନିର୍ଦ୍ଦେଶକ ଆଶିଷ ପହି କହିଛନ୍ତି ଯେ, ”କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନ ଆମର ପ୍ରଥମ ଚେଷ୍ଟା । ଯେପରି ଗୋଆରେ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ହେଉଛି ସେହିପରି ଓଡିଶାର ପୁରୀରେ ଇଣ୍ଟରନ୍ୟାସନାଲ ଆର୍ଟ ଫେଷ୍ଟିଭାଲ କରିବାକୁ ଚିନ୍ତା କରାଯାଉଛି, ଏବା ଆରମ୍ଭ ମାତ୍ର, କିନ୍ତୁ ଭବିଷ୍ୟରେ ଏହାକୁ ଇଣ୍ଟରନ୍ୟାସନାଲ ଆର୍ଟ ଫେଷ୍ଟିଭାଲରେ ପରିଣତ କରାଯିବ । ଦେଶର ବିଭିନ୍ନ କୋଣ ଅନୁକୋଣର କଳାକାର ମାନେ ଏଥିରେ ଯୋଗ ଦେଇଥିଲେ । ଏଥିସହ ୯ଟି ଦେଶର କଳାକାର ସାମିଲ ହୋଇଥିଲେ । ବିଶ୍ୱରେ କିପରି ଓଡିଶା କଳାର ଲୋକପ୍ରିୟତା ବଢିପାରିବ ସେଥିପାଇଁ ଏହି ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି କଳା ନିର୍ବାଣ ନିର୍ଦ୍ଦେଶକ ।