ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଦେବଗଡ଼ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀମାନେ କୃଷି କ୍ଷେତ୍ରରେ ପାରମ୍ପରିକ ପଦ୍ଧତି ବଦଳରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ସମ୍ବନ୍ଧିତ ବିଭିନ୍ନ ଉପାଦେୟ ତଥ୍ୟ ହାସଲ କରିଥିଲେ । ଏଥିସହିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ପଲି ହାଉସ, ମୃତ୍ତିକା ନମୁନା, ପରୀକ୍ଷାଗାର, ଜିଆ ଓ ଖତ ପ୍ରସ୍ତୁତି ଗୃହ, କୁକୁଡ଼ା ଫାର୍ମ ଓ ଛତୁ ଚାଷ ସମେତ ବିଭିନ୍ନ ପ୍ରକାର ଉଦ୍ୟାନଜାତ କୃଷିଫାର୍ମ ଓ କୃଷି ବିଦ୍ୟାଳୟ ପରିଦର୍ଶନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡା.ସୁଜିତ କୁମାର ନାଥ, ମୃତ୍ତିକା ବିଜ୍ଞାନୀ ଚିନ୍ମୟ ମିଶ୍ର ଓ ଶସ୍ୟ ସଂରକ୍ଷଣ ବୈଜ୍ଞାନିକ ଲବ ସୋରେନ ଛାତ୍ରଛାତ୍ରୀଙ୍କୁ କୃଷି ସମ୍ବନ୍ଧିତ ବିଭିନ୍ନ ବିଷୟରେ ବୁଝାଇଥିଲେ ଏବଂ କେନ୍ଦ୍ରର କ୍ଷେତ୍ର ପରିଦର୍ଶନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯାଦବ ଚନ୍ଦ୍ର ପ୍ରଧାନ, ଧନ୍ଦାମୂଳକ ପ୍ରଶିକ୍ଷକ ରୋହିତାଶ୍ୱ ପ୍ରଧାନ ଓ ପ୍ରଶାନ୍ତ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।