ବଲାଙ୍ଗୀର,ଏନ୍ଏନ୍ଏସ୍: ପିପି ଏକାଡେମୀ ସଭାଗୃହରେ ସଂସ୍କୃତ ସମ୍ଭାଷଣ ଶିବିରର ଅନୁଷ୍ଠାନିକ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଭାରତୀ ଉତ୍କଳ ପ୍ରାନ୍ତ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସଂସ୍କୃତ ଭାରତୀ ଓଡିଶା ପ୍ରାନ୍ତ ସମ୍ପାଦକ ଅଜିତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିସ୍ତାରକ କାହ୍ନା ବାରିକ ପ୍ରାରମ୍ଭିକ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ । ପ୍ରଦିପ ପ୍ରଜ୍ଜଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂସ୍କୃତ ପ୍ରଚାର ପ୍ରସାର କରି ନିତ୍ୟ ଜିବନରେ ବ୍ୟବହାରରେ ଆଣିବା ପାଇଁ ସଂସ୍କୃତ ଭାରତୀ ଏହି ଶିବିରକୁ ଆରମ୍ଭ କରିଛି ।
୧୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ଘ.୮ ରୁ ଘ.୯.୩୦ମି. ପର୍ଯ୍ୟନ୍ତ ଚାଲିବା ନେଇ ସୁଚନା ରହିଛି । ଶିବିରର ଆଜିର ପ୍ରଥମ ଦିନରେ ପ୍ରାୟ ୭୦ ଜଣ ଶିକ୍ଷାର୍ଥୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟା ଭୂଷଣ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଧର୍ମରାଜ ବାଗ ମଞ୍ଚାସୀନ ଥିବା ବେଳେ ସଂସ୍କୃତ ଭାରତୀ ବଲାଙ୍ଗିର ଜିଲ୍ଲା ସଂଯୋଜକ ଶେଷଦେବ ମିଶ୍ର, ପଣ୍ଡିତ ଟିକେଶ୍ୱର ଗୁରୁ, ବାଳକିସନ ଅଗ୍ରୱାଲ, ସ୍ୱାଧୀନ କୁମାର ପଣ୍ଡା, ସାବିତ୍ରୀ ସେଠ, ସାରିକା ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ନେବାକୁ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ବ୍ୟତିତ ଅନ୍ୟନ୍ୟ ସଂସ୍କୃତ ଭାଷା ପ୍ରତି ଆଗ୍ରହୀ ବିଭିନ୍ନ ବର୍ଗର ଲୋକଙ୍କ ଉପସ୍ଥିତିରେ ଆଜି ଶିକ୍ଷାଦାନ ଆରମ୍ଭ କରାଯାଇଥିଲା ।