ଫୁଲବାଣୀ,ବାଲିଗୁଡା,ଏନ୍ଏନ୍ଏସ୍: ଗତ ୧୧ ତାରିଖ ଦିନ ବାଲିଗୁଡା ଥାନା ଅନ୍ତର୍ଗତ କାଣାସାଲୁ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁ ବରଣ କରିଥିବା ମହିଳା ମାଓବାଦୀଙ୍କ ମୃତ ଦେହକୁ ଆଜି ପୁଲିସ ପକ୍ଷରୁ ପୋତି ଦିଆଯାଇଛି। ମୃତକାଙ୍କ ପରିଚୟ ପୁଲିସର ହସ୍ତଗତ ହୋଇପାରି ନାହିଁ। ଏସ୍ଓଜି ଏବଂ ଡିଭିଏଫ୍ ବାହିନୀ ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ହୋଇଥିବା ସର୍ଚ୍ଚ ଅପରେସନରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରଓ୍ବାଲ। ଜବତ ସାମଗ୍ରୀ ମଧ୍ୟରେ ରହିଛି ପୋଷାକ, ଔଷଧ, ବାସନକୁସନ ସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।
ଏସବୁ ଜିନିଷ ଘଟଣାସ୍ଥଳରୁ କିଛି ଦୂରରେ ରଖାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ସ୍ଥାନରେ ମାଓବାଦୀ ରହିଥିବା ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ଗତ ୯ ତାରିଖ ଦିନ ଅପରେସନ ଆରମ୍ଭ କରାଯାଇଥିଲା। ମାଓ-ପୁଲିସ ଗୁଳି ବିନିମୟରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସମ୍ପୃକ୍ତ ମାଓବାଦୀ ଜଣକ ଛତିଶଗଡ଼ କ୍ୟାଡରର ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ। ଏଠାରେ ୨୦ରୁ ଅଧିକ ମାଓବାଦୀ ରହିଥିବା ପୁଲିସ ଅନୁମାନ କରୁଥିବା ବେଳେ ଡିସିଏମ ମମତା ଏହି ଦଳର ନେତୃତ୍ୱ ନେଉଥିବା ଏସ୍ପି ସୂଚନା ଦେଇଛନ୍ତି। ତାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରଷ୍କାର ରହିଛି।
ଇତି ମଧ୍ୟରେ ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦର ୭୨ ଘଣ୍ଟା ପରେ ମୃତ ମହିଳା ମାଓବାଦୀଙ୍କ ଶବକୁ ପୁଲିସ ପକ୍ଷରୁ ପୋତି ଦିଆଯାଇଛି। ସମ୍ପୃକ୍ତ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସ୍ପି ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି।