ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ପାଢ଼େଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦ ପୂରଣ ପାଇଁ କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀ ପାଟଣାଗଡ଼-ପଦ୍ମପୁର ରାସ୍ତା ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପାଖରେ ସହସ୍ରାଧିକ ଯାନବାହାନ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ସମୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପଦ୍ମପରରୁ ପାଟଣାଗଡ଼ ଯାଉଥିବାବେଳେ ତାଙ୍କୁ ମଧ୍ୟ ଅଟକାଇ ଦାବୀ ଜଣାଇଥିଲେ। ବିଶି ସେମାନଙ୍କୁ ବୁଝାଇଥିଲେ ମଧ୍ୟ ଆନ୍ଦୋଳନାରୀମାନେ ନିଜ ଜିଦରେ ଅଟଳ ରହିଥିଲେ । ଘଟଣା ସମ୍ପର୍କରେ ସାଂସଦ ବିଶି ବଲାଙ୍ଗିର ଜିଲ୍ଲାପାଳଙ୍କ ସହ ଫୋନ ଯୋଗେ କଥା ହୋଇ ଉକ୍ତ ସ୍କୁଲରେ ୪ଜଣ ଶିକ୍ଷକ ନିଯୁକ୍ତ କରିବା ସହ ବିଇଓଙ୍କୁ ପାଟଣାଗଡ଼କୁ ବଦଳି କରିବାକୁ କହିଥିଲେ ବି ସାଂସଦଙ୍କୁ ଛାଡ଼ି ନଥିଲେ । ସେଥିପାଇଁ ଶ୍ରୀ ବିଶି ବାଧ୍ୟ ହୋଇ ସେଠାରୁ ଫେରିଯାଇ ଅନ୍ୟ ବାଟ ଦେଇ ପାଟଣାଗଡ଼ ପହଞ୍ଚିଥିଲେ । ଅନ୍ୟପଟେ ପ୍ରଶାସନିକ ଅଧିକାରୀ ଆସି ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଗ୍ରାମବାସୀମାନେ କହିଥିଲେ । ଦୀର୍ଘ ସମୟ ପରେ ବିଇଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅଭିଭାବକଙ୍କୁ ହାତ ଯୋଡି ନମସ୍କାର କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଥିସହିତ ଉକ୍ତ ସ୍କୁଲକୁ ଆଉ ୨ଜଣ ଶିକ୍ଷକ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ହଟିଥିଲେ । ସ୍କୁଲ କମିଟି ସଭାପତି ସୁଶୀଳ ସରାଫଙ୍କ ନେତୃତ୍ୱରେ ଦଶରଥ ପଟେଲ, ଦୁର୍ଯୋଧନ ସରାଫ, ଶେଷ ବନଛୋର, ରାମପ୍ରସାଦ ପଟେଲ, ଅର୍ଜୁନ କାଲସାଏ, ମୋହିଲାଲ ହାରିପାଲ ଓ ସୁରେଶ ଲୁହାଙ୍କ ସମେତ ବହୁ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲ ଥିଲେ ।
ସୂଚନାଯୋଗ୍ୟ, ଦୀର୍ଘ ୩ମାସ ହେବ ପାଢ଼େଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ଜଣ ଶିକ୍ଷକ ଥିବାବେଳେ ୪ଜଣ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୭୫ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ୪ଟି କ୍ଲାସ ସବୁବେଲେ ବନ୍ଦ ରହୁଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ୨ମାସ ପୂର୍ବରୁ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପାଟଣାଗଡ଼ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚି ୪ଦିନ ଭିତରେ ଶିକ୍ଷକ ନିଯୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହାକୁ ଦୀର୍ଘ ୩ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ନହେବାରୁ ସ୍କୁଲ କମିଟି, ଅଭିଭାବକ ତଥା ଛାତ୍ରଛାତ୍ରୀ ରାସ୍ତା ଅବରୋଧ କରିଥିଲେ ।