ବିଜେପରୁ ଉପନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଲେ ବିଜେଡ଼ି ସୁପ୍ରିମୋ

ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡ଼ି ପ୍ରାର୍ଥିନୀ ରୀତା ସାହୁଙ୍କ ନିର୍ବାଚନ ରାଲିରେ ଆଜି ମୁଖ୍ୟମନ୍ତ୍ରୀ ନିଜେ ବୁଲି ଭୋଟ ମାଗିବେ। ଏ ନେଇ ମୁଖ୍ୟମନ୍ତ୍ରୀ ଗୁରୁବାର ପୂର୍ବାହ୍ଣରେ ଲାଉମୁଣ୍ଡା ହେଲିପ୍ୟାଡ୍‌ରେ ପହଞ୍ଚି ପଥପ୍ରାନ୍ତ ସଭା ଆରମ୍ଭ କରିଥିଲେ। ପରେ ଶ୍ରୀ ପଟ୍ଟନାୟକ ହାଇଟେକ୍‌ ବସ୍‌ଯୋଗେ କୁରୁକୁଡ଼ା ଠାରୁ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି।

ପରେ ଜାରିଙ୍ଗ୍‌ ଓ ବିଜେପୁର ଯିବେ। ଅପରାହ୍ଣ ୨ଟା ବେଳେ ମୁଖ୍ୟମନ୍ତ୍ରୀ ବରପାଲି ଫେରିବେ ଓ ପୁଣି ଅପରାହ୍ଣ ୪ଟା ବେଳେ ବରପାଲି ଏନ୍‌ଏସ୍‌ସି ଏବଂ ଆଖପାଖ ଗାଁଗୁଡ଼ିକରେ ରୋଡ୍‌ ସୋ କରିବେ ବୋଲି ଜଣାଯାଇଛି। ଆଜି ବିଜେପୁର ଏବଂ ବରପାଲିର ୩୧ଟି ସ୍ଥାନରେ ପ୍ରଚାର କରିବେ। ସମୁଦାୟ ୭ ଘଣ୍ଟା ପ୍ରଚାର କରିବା ପରେ ମୁଖ୍ୟମନ୍ତ୍ରୀ ବରଗଡ଼ ଆଇବିରେ ରାତ୍ରୀ ଯାପନ କରିବେ। ସେହିପରି ଆସନ୍ତାକାଲି ଗାଇସିଲଟ୍‌ ବ୍ଲକ୍‌ର ୧୪ଟି ସ୍ଥାନକୁ ପ୍ରଚାର ଅଭିଯାନରେ ଯିବେ। ପ୍ରଚାର ଅଭିଯାନରେ ବିଜେଡିର ଅନେକ କର୍ମୀ ଓ ସମର୍ଥକମାନଙ୍କ ଗହଳି ଲାଗିଛି।