ପଞ୍ଚଭୂତରେ ଲୀନ ହେଲେ ମୁଲାୟମ ସିଂ, ପୈତୃକ ଗ୍ରାମରେ ହେଲା ଶେଷକୃତ୍ୟ

ଲକ୍ଷ୍ନୌ,ଏଜେନ୍ସି: ପୈତୃକ ଗ୍ରାମ ସୈଫାଇରେ ଶେଷ ହୋଇଛି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର । ପୁଅ ଅଖିଳେଶ ଯାଦବ ମୁଖାଗ୍ନୀ ଦେଇଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବା ସହ ଏଥିରେ ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଅନ୍ତିମ ସଂସ୍କାରରେ ସାମିଲ ହୋଇ ମୁଲାୟମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଗତକାଲି (ସୋମବାର) ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ମୁଲାୟମଙ୍କ ପରଲୋକ ହୋଇଥିଲା । ଆଜି କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ସାଂସଦ ପ୍ରମୋଦ ତିଓ୍ବାରୀଙ୍କ ସମେତ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତା ମଧ୍ୟ ମୁଲାୟମଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ।