ପାଟଣାଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଆର୍ଥିକ ଅନୁଦାନର ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଓଟିଡିସି ଅଧ୍ୟକ୍ଷ ଓ ସ୍ଥାନୀୟ ବିଧାୟକ ସରୋଜ ମେହେର ହରିଶଙ୍କର ଆସି ଅନେକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟ ଶୂନ ରହିଥିବାରୁ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ସମ୍ବଲପୁରରେ ମଧ୍ୟ ହରିଶଙ୍କର ଓ ନୃସିଂହନାଥଙ୍କୁ ରୋପୱେ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏମିତିକି ପାଟଣାଗଡ଼ ବିଧାୟକ ସରୋଜ ମେହେର ଏକ ବ୍ୟାନର ଲଗାଇ ପ୍ରଚାର ପ୍ରସାର ବି କରିଥିଲେ । ଇତିମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ଦେଖିବାକୁ ମିଳିନାହିଁ । ଅନ୍ୟପଟେ ସରକାର ଏଥିରୁ ହରିଶଙ୍କରରୁ ନୃସିଂହନାଥକୁ ବାଦ ଦେଇଥିବାରୁ ଆଜି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ପାଟଣାଗଡ଼ସ୍ଥିତ ମା’ ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ବାଇକ ର୍ୟାଲିରେ ହରିଶଙ୍କର ଯାଇ ପାପନାସିନୀ ଝରଣାରେ ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଏବଂ କୋଶଲ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଜଳ ସତ୍ୟାଗ୍ରହ କରିଛନ୍ତି । ସତ୍ୟାଗ୍ରହରେ ସୁଶୀଳ କୁମାର ଗୁରୁ, ଡିଙ୍ଗର କୁମ୍ଭାର ଓ ଚିନ୍ମୟ ସାହୁଙ୍କ ସହ ବହୁ କର୍ମକର୍ତ୍ତା ସାମିଲ ଅଛନ୍ତି । ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରିନାହିଁ । ଯେପର୍ଯ୍ୟନ୍ତ ଆମର ଦାବୀ ପୂରଣ ନ ହେବ ଜଳ ସତ୍ୟାଗ୍ରହ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।