ପାଟଣାଗଡ଼,ଏନ୍ଏନ୍ଏସ୍: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପାଟଣାଗଡ଼ ଅଞ୍ଚଳର ଝିଅଙ୍କ ସଫଳତାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପାଟଣାଗଡ଼ ବ୍ଲକ ଖୁଁଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଦଲପାଲିର ରୁଦ୍ରମଣୀ ମେହେର ଏବଂ ପଦ୍ମିନୀ ମେହେରଙ୍କ ଝିଅ ନିତୁଶ୍ରୀ ପ୍ରଥମ ଉଦ୍ୟମରେ ୧୧୩ତମ ସ୍ଥାନ ହାସଲ କରିଛନ୍ତି। ପେଷାରେ ଜଣେ ସଫଳ ଚାଷୀ ଭାବରେ ଜଣାଶୁଣା ରୁଦ୍ରମଣୀଙ୍କ ଝିଅ ନିତୁଶ୍ରୀ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଥିଲେ । ବେଲପଡ଼ା ନବୋଦୟ ବିଦ୍ୟାଳୟରୁ ପାଠପଢ଼ା ସାରି ଭୁବନେଶ୍ୱର ବିଜେବି ମହାବିଦ୍ୟାଳୟରୁ ସଫଳତାର ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଭବିଷ୍ୟତରେ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ ହେଉଛି ତାଙ୍କ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି ନିତୁଶ୍ରୀ କହିଛନ୍ତି । ଏହାବ୍ୟତୀତ ନିତୁଶ୍ରୀ ଗ୍ରାମ୍ୟ ଅର୍ଥନୀତିର ବିକାଶ ଏବଂ ମହିଳା ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି ମଧ୍ୟ କହିଛନ୍ତି ।
ସେହିପରି ଉଲବା ଗ୍ରାମର ନୀଲମଣୀ ମେହେରଙ୍କ ଝିଅ ସସ୍ମିତା ମେହେର ମଧ୍ୟ ସିଭିଲ ସର୍ଭିସ ପରୀକ୍ଷାରେ ୩୩୧ ସ୍ଥାନ ପାଇଛନ୍ତି । ସସ୍ମିତା ମେହେର ପାଟଣାଗଡ଼ ଜବାହାରଲାଲ କଲେଜରୁ ଯୁକ୍ତ ୨ ଓ ଯୁକ୍ତ ୩ ସାରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିଛନ୍ତି । ୬ ମାସ ତଳେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ ସସ୍ମିତା ବଲାଙ୍ଗିର ରାଜେନ୍ଦ୍ର କଲେଜରେ ନିଯୁକ୍ତି ମଧ୍ୟ ପାଇଥିଲେ । ସସ୍ମିତା ତାଙ୍କ ସଫଳତାର ସମସ୍ତ ଶ୍ରେୟ ବାପା, ମା’ ଓ ଭାଇଙ୍କୁ ଦେଇଛନ୍ତି ।