ଠିକାଦାର ପୋଷା ନୀତିରେ କୁଶୁର୍ଲା-ଶିଆଲପଡ଼ା ରାସ୍ତା କାମ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: ସରକାର ଲୋକଙ୍କ ଗମନାଗମନ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି।କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସଠୁ ଆରମ୍ଭ କରି କି ରୋଡ଼ ରାସ୍ତା ପର୍ଯ୍ୟନ୍ତ ସବୁଠି ଠିକାଦାର ପୋଷା ନୀତି କାର୍ଯ୍ୟ ହେଉଥିବାରୁ ରାଜ୍ୟରେ ଦୁର୍ନୀତି ବ୍ଲକ ଭାବରେ ପରିଚିତ। ଜୋରାଡ଼ ବରା ପଞ୍ଚାୟତ ଅଧୀନସ୍ଥ କୁଶୁର୍ଲା – ଶିଆଲପଡ଼ା ରାସ୍ତାର ଉନ୍ନତୀକରଣ ପାଇଁ ମହାତ୍ମା ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ୮ ଲକ୍ଷ ଟଙ୍କା ବ୍ୟୟରେ ମେଟାଲ ଓ ମୋରୁମରେ କାର୍ଯ୍ୟ ହେଉଛି। କିନ୍ତୁ ନିମ୍ନ ମାନର ମେଟାଲ ଏବଂ ମୋରୁମ ବଦଳରେ ମାଟି ବ୍ୟବହାର କରିବା ସହ ଠିକାଦାର ପୋଷା ନୀତିରେ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି।

ଉକ୍ତ କାର୍ଯ୍ୟରେ ଉଚ୍ଚ ମାନର ମେଟାଲ ଓ ମୋରୁମ ବ୍ୟବହାର କରିବା ପାଇଁ ଦାବି ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଉନଥିବାରୁ ବ୍ଲକ୍‌ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେପଟେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ବିଗତ ଦିନରେ ବିଡିଓ ଦାୟିତ୍ୱରେ ଥିବା ଶୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ସମୟରେ ଦୁର୍ନୀତିକୁ ରୋକିପାରୁନଥିବା ବେଳେ ଏବେ ଶ୍ରୀ ସିଦ୍ଧେଶ୍ୱର ମେହେର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲାପରେ କର୍ଲାମୁଣ୍ଡା ବ୍ଲକ୍‌ରେ କିଭଳି ଭାବରେ ଠିକାଦାର ପୋଷାକୁ ରୋକି ପାରୁଛନ୍ତି ତାହା ହିଁ ଦେଖିବାକୁ ବକିରହିଲା।