ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ। ବଢ଼ିବ ସେନାର ଶକ୍ତି। ବାୟୁସେନାରେ ସାମିଲ ହେବ ପ୍ରଥମ ବ୍ୟାଚ୍ ଲାଇଟ୍ କମ୍ବାଟ ହେଲିକପ୍ଟର-ଏଲ୍ସିଏଚ୍। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ହାଲୁକା ଲଢୁଆ ହେଲିକପ୍ଟର। ଏଥିରୁ ମିସାଇଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଉତ୍କ୍ଷେପଣ ହୋଇପାରିବ। ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡ୍ ବା ହାଲ୍ ଏହାର ଡିଜାଇନ୍ କରିଛି। ଲଦାଖ ଭଳି ଅତି ଉଚ୍ଚ ସ୍ଥାନରେ ଯୁଦ୍ଧ କ୍ଷେତ୍ରରେ ସାମିଲ ହୋଇ ପାରିବ ଏହି ହେଲିକପ୍ଟର।
ଆଜି ଯୋଧପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧାରୀଙ୍କ ଉପସ୍ଥିତିରେ ବାୟୁ ସେନାରେ ସାମିଲ ହେବ ଏଲ୍ସିଏଚ୍। ଏକାଧିକ ଥର ମିସାଇଲ ଉତ୍କ୍ଷେପଣ ପରୀକ୍ଷା ସଫଳତାର ସହ ହୋଇ ସାରିଛି । ଏହି ହେଲିକପ୍ଟରର ଓଜନ୍ ୫ରୁ ୮ ଟନ୍। ଏଥିରେ ୨ଟି ଇଞ୍ଜିନ୍ ଅଛି। ଏଲ୍ସିଏଚ୍ରୁ ୩ ହଜାର ୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ସ୍ୱଦେଶୀ ନିର୍ମିତ ଏଲ୍ସିଏଚ୍ ହେଲିକପ୍ଟର କିଣିବାକୁ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା। ଏହି ୧୫ ହେଲିକପ୍ଟରରୁ ୧୦ଟି ବାୟୁସେନା ଓ ୫ଟି ଆର୍ମୀରେ ସାମିଲ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ସୂଚନା ରହିଛି।