ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ଏକମାତ୍ର ରେଳ ଷ୍ଟେସନ ହରିଶଙ୍କର ରୋଡରେ କୃଷି ବୀମା ପାଇଁ ବଲାଙ୍ଗିର ଜିଲ୍ଲା ଶତାଧିକ ଚାଷୀ ରେଳରୋକ କରିଛନ୍ତି । ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପ୍ରଧାନଙ୍କ ନେତୃତ୍ୱରେ ଚାଷୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ମାଲ ବୋଝେଇ ଟ୍ରେନ ଏବଂ ରାଇପୁରରୁ ବିଶାଖାପଟନମ ଯାଉଥିବା ଏକ ପେସେଞ୍ଜର ଟ୍ରେନକୁ ଅଟକାଇ ଥିଲେ । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୨୦୨୧ ମସିହାରେ ପାଟଣାଗଡ଼ ଅଞ୍ଚଳରେ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା । ଏହି ସମୟରେ ଅନେକ ଚାଷୀ ସହାୟତା ଆଶାରେ ପ୍ରଧାନମନ୍ତ୍ରୀ କୃଷି ବୀମା କରିଥିଲେ । ହେଲେ ଏହାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚାଷୀମାନେ ବୀମା ଟଙ୍କା ପାଇ ନଥିବାରୁ ବାରମ୍ବାର କେଉଁଠି ରାସ୍ତାରୋକ ତ କେଉଁଠି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଆଉ ଶେଷରେ କୃଷି ବିଭାଗର ପ୍ରମୁଖ ସଚିବଙ୍କୁ ଭେଟି ନିଜର ଦାବୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏଭଳି ସ୍ଥିତିରେ ଆଜି ହୋଇଥିବା ରେଳରୋକ ସମୟରେ ଏକ ପେସେଞ୍ଜର ଟ୍ରେନ ଲାଠୋର ଷ୍ଟେସନରୁ କିଛି ବାଟ ପୂର୍ବରୁ ଅଟକି ରହିବା ଫଳରେ ଯାତ୍ରୀମାନେ ହଇରାଣ ହୋଇଥିବା ଜଣାପଡ଼ିଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ପାରିନାହିଁ ।