ବନ ବିଭାଗର ଚଢ଼ଉ : ୭୦ ହଜାର ଟଙ୍କାର ଶାଳକାଠ, ୧ ଲକ୍ଷ ପିଆଶାଳ କାଠ ଜବତ

ହରିଚନ୍ଦନପୁର, ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଅର୍ନ୍ତଗତ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ଗୋବରା ଓ ଗମ୍ଭାରୀଆ ଗ୍ରାମରେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ୭୦ ହଜାର ଟଙ୍କାର ଶାଳକାଠ ସହ ୧ ଲକ୍ଷ ଟଙ୍କାର ପିଆଶାଳ କାଠ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଉକ୍ତ କାଠଗୁଡିକ ନିକଟସ୍ଥ ଜଙ୍ଗଲରୁ କାଟି ମାଫିଆମାନେ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ବନବିଭାଗର ପେଟ୍ରୋଲିଂ ଚାଲିଥିବାକୁ ନେଇ ଚୋରା ଚାଲାଣ କରିବାରେ ବିଫଳ ହୋଇଥିଲେ । ରବିବାର ରାତିରେ ଆଳୁଘାଟି ନିକଟସ୍ଥ ଗୋବରା ହୁଡି ଉପରୁ ପିଆଶାଳ ଗଛ କାଟି ଚୋରା ଚାଲାଣ କରିବା ପାଇଁ ମାଫିଆ ଉଦ୍ୟମ ଚଳାଇଥିଲେ । ହେଲେ ଡିଏଫଓ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗ ପକ୍ଷରୁ ଏହି ମିଳିତ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ସେଠାରୁ ୧ ଲକ୍ଷ ଟଙ୍କାର ପିଆଶାଳ କାଠ ଜବତ ହୋଇଥିଲା । ସେହିପରି ସୋମବାର ରାତିରେ ଗମ୍ଭାରୀଆ ନିକଟସ୍ଥ ଜଙ୍ଗଲରୁ ଶାଳଗଛ କାଟି ଚୋରା ଚାଲାଣ କରିବାକୁ ଉଦ୍ୟମ ଚଳାଇଥିଲେ । ହେଲେ ବନବିଭାଗର ଚାଲିଥିବା ପେଟ୍ରୋଲିଂକୁ ଦେଖି ମାଫିଆମାନେ ଘଟଣାସ୍ଥଳରୁ ପଳାଇଥିଲେ । ପେଟ୍ରୋଲିଂ ଟିମ୍ କାଠ ଗୁଡିକୁ ସାରାରାତି ଜଗିବା ସହ ଆଜି ଏକ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ୟ୍ୟାଳୟକୁ ଅଣାଯାଇଛି । ଶାଳକାଠ ଗୁଡିକର ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ହରିଚନ୍ଦନପୁର ବନପାଳ ସୂଚନା ଦେଇଛନ୍ତି ।

ଏହି ଚଢ଼ଉରେ ଦେଓଗାଁ ରେଞ୍ଜ ଅଫିସର ସୁରେନ୍ଦ୍ରନାଥ ହେମ୍ରମ, ଫରେଷ୍ଟର ଦାଶରଥି ବେଜ, ହରିଚନ୍ଦପୁର ବନପାଳ ବୁଦ୍ଧଦେବ ସାହୁ, ଡ୍ରାଇଭର ସଞ୍ଜୟ ମହାନ୍ତ, ଭଗାମୁଣ୍ଡା ଫରେଷ୍ଟ ଗାର୍ଡ ମଙ୍ଗୁଳି ଚରଣ ସାହାଙ୍କ ସମେତ ବିଭାଗର ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଏହି ମିଶନ ସଫଳ ହୋଇଛି ।