ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାସ୍ତରୀୟ ଦିଶା ବୈଠକ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ରେ ଦୁର୍ନୀତି ହୋଇଥିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଗୋଟିଏ ପ୍ରକଳ୍ପକୁ ୨-୨ଥର ବିଲ କରାଯାଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସାଂସଦ ପ୍ରତିନିଧି ପ୍ରମୋଦ ପାଢ଼ୀ ଦୃଢ଼ତାର ସହ କହିଛନ୍ତି । ଜିଲ୍ଲାର ଆଶ୍ରମ ବିଦ୍ୟାଳୟମାନଙ୍କରେ ମଧ୍ୟ ଦୁର୍ନୀତି ହେଉଛି । ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଶ୍ରୀ ପାଢ଼ୀ ଅଭିଯୋଗ କରିଛନ୍ତି । ଭାରତମାଳା ଯୋଜନାରେ ନିମ୍ନମାନର କାର୍ଯ୍ୟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଜୟପୁର-ନବରଙ୍ଗପୁର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିରିହ ଲୋକଙ୍କୁ ଯେଉଁ ଦଲାଲମାନେ ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଦାବୀ କରିଛନ୍ତି । ଅପହଞ୍ଚ ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ ରଖିବାକୁ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରସ୍ତାବ ଦେଇଥିଲେ । ତେନ୍ତୁଳିଖୁଣ୍ଟି ଓ ପାପଡ଼ାହାଣ୍ଡିରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ନିମନ୍ତେ ଆଲୋଚନା କରାଯାଇଛି । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ, ଭତ୍ତା ଓ ଶିକ୍ଷା ଆଦି ବିସୟରେ ଆଲୋଚନା କରାଯାଇଛି । ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ଜିଲ୍ଲାପରିଷଦ ସିଇଓ ରତ୍ନାକର ସାହୁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ସଭ୍ୟସଭ୍ୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।