ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୧୨୭ ୟୁନିଟ ରକ୍ତ ସଂଗ୍ରହ

ନବରଙ୍ଗପୁର,ଏନ୍ଏନ୍ଏସ: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପୂଜାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ୧୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ ରକ୍ତଦାନ ଶିବିରକୁ ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶୀଳା ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଡାଳିମ୍ବ ଭତରା, ବିଧାୟକ ପ୍ରତିନିଧି ସଞ୍ଜୟ ଗୁପ୍ତା, ବଡଭରଣ୍ଡି ସରପଞ୍ଚ ଦୁର୍ଯୋଧନ ଗଣ୍ଡ, ସମାଜସେବୀ ଆଦିତ୍ୟ ଖ୍ରୀଷ୍ଟିଆନ ପ୍ରମୁଖ ଅଂଶ ଗ୍ରହଣ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡ଼. ଅଭୟ କୁମାର ଦେଓଙ୍କ ନେତୃତ୍ବରେ କର୍ମଚାରୀମାନେ ସହଯୋଗ କରିଥିଲେ। ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିୟମିତ ଭାବରେ ରକ୍ତଦାନ ଶିବିରମାନ ଆୟୋଜନ କରି ଆସୁଛି। ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସରେ ୭୧ ୟୁନିଟ, ଏପ୍ରିଲରେ ନେହୁରାଠାରେ ୧୫୦ ୟୁନିଟ, ମେ’ ମାସରେ ସୁନାବେଡ଼ା ଠାରେ ୧୧୧ ୟୁନିଟ, ଜୁନ ମାସରେ କୋପେନା ଠାରେ ୧୧୫ ୟୁନିଟ, ଅଗଷ୍ଟ ମାସରେ ପୂଜାରୀଗୁଡ଼ା ଠାରେ ଆୟୋଜିତ ରକ୍ତଦାନ ଶିବିରରୁ ୧୫୭ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି।

ଆଜିର ଶିବିରକୁ ସଫଳ କରିବା ସହ ଭିନ୍ନକ୍ଷମ ବ୍ୟକ୍ତି ଜଗତରାମ କୋଷ୍ଟା, ୩ଜଣ ଅଙ୍ଗନୱାଡ଼ି କର୍ମୀ, ୨ଜଣ ଆଶା କର୍ମୀ ଓ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪ ଜଣ ଶିକ୍ଷକ ରକ୍ତଦାନ କରିବା ସହ ସହଯୋଗ କରିଥିଲେ। ବାରମ୍ବାର ରକ୍ତଦାନ ଶିବିର ଆୟୋଜନ କରି ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ପୁଜାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି।