ନବରଙ୍ଗପୁର,ଏନ୍ଏନ୍ଏସ୍: ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୯ଟି ଗୋଷ୍ଠୀଗତ ଓ ୩୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଏଥିରେ ଆବଶ୍ୟକ ଡାକ୍ତରୀ ଚିକିତ୍ସା ସୁବିଧା, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ, କର୍ମ ନିଯୁକ୍ତି, ଘରଡିହ, ବେସାମରିକ ଯୋଗାଣ ବ୍ୟବସ୍ଥା, ଗ୍ରାମପଞ୍ଚାୟତ କାମର ବକେୟା ପାଉଣା, ବ୍ୟାଙ୍କ ଋଣ ଯୋଗାଇଦେବା, ରାସ୍ତା ନିର୍ମାଣ ଓ ମରାମତି, ପଞ୍ଚାୟତ ସମିତି ଷ୍ଟଲର ଭଡ଼ା ଅସୁଲି ଓ ସ୍କୁଲ ଜମିର ଅନୁକମ୍ପା ରାଶି ପ୍ରଦାନ ଆଦି ଅଭିଯୋଗର ଜିଲ୍ଲାପାଳ ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଉପଆରକ୍ଷୀ ଅଧିକ୍ଷକ ପାପଡ଼ାହାଣ୍ଡି ଆଦିତ୍ୟ ସେନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀଳାଦ୍ରି ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା ଓ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକ୍ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।