ପାଟଣାଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ କାଦୋପଡ଼ାସ୍ଥିତ ଟିକେସନ ସାଣ୍ଡଙ୍କ ଝିଅ ପୂଜା ସାଣ୍ଡଙ୍କୁ ମାନସିକ ବିକୃତ ଅବସ୍ଥାରେ ନାଗପୁରର ଏକ ସରକାରୀ ଆଶ୍ରୟ ସ୍ଥଳୀରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ୨୨ ବର୍ଷୀୟ ପୂଜା ଇତସ୍ତତଃ ଭାବରେ ବୁଲୁଥିବାବେଳେ ନାଗପୁର ପୁଲିସ ଗତ ୩୦ ଜୁଲାଇ ୨୦୨୧ରେ ଦେଖିବାକୁ ପାଇଥିଲା । ଯୁବତୀ ଜଣକ ନିଜ ନାମ ଛଡ଼ା ଅନ୍ୟ କିଛି କହିପାରୁ ନଥିବା ଯୋଗୁ ତାଙ୍କୁ ଗତ ଅଗଷ୍ଟ ୫ ତାରିଖରେ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଥିଲେ । ତାଙ୍କର ପରିଚୟ ଖୋଜାଯିବା ପରେ ସେ ପାଟଣାଗଡ଼ର ହୋଇଥିବା ନେଇ ଜଣା ପଡ଼ିଥିଲା । ପ୍ରଥମେ ନାଗପୁର ପୁଲିସ ବଲାଙ୍ଗିର ଏସପି ଅଫିସ ଓ ପାଟଣାଗଡ଼ ପୁଲିସ ସହ ଯୋଗାଯୋଗ କରିଥିଲା । ପରେ ପାଟଣାଗଡ଼ ପୁଲିସ ପୂଜାଙ୍କ ପରିବାର ସଦସ୍ୟଙ୍କ ସହ ନାଗପୁର ଯାଇ ତାଙ୍କୁ ପାଟଣାଗଡ଼ ଆଣିଥିଲେ । ପୁଲିସ ଆଜି ପୂଜାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ପ୍ରକାଶ କରିଛନ୍ତି । ଏହି ସମୟରେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।