ଡକ୍ଟର ଫକୀର ମୋହନ ନାହାକଙ୍କ ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍ ସମେତ ୩ ପୁସ୍ତକ ଉନ୍ମୋଚିତ

ଗଞ୍ଜାମ,ଏନ୍ଏନ୍ଏସ୍: ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଉନ୍ମୋଚିତ ହେଲା ତିନୋଟି ପୁସ୍ତକ । ପଞ୍ଜାବର ମୋହାଲି ସ୍ଥିତ ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟରେ ଆୟୋଜିତ ଗୁରୁଦିବସ ଅବସରରେ ଓଡ଼ିଆ ପ୍ରଫେସର ତଥା ସାମ୍ବାଦିକତା ଓ ଗଣଯୋଗାଯୋଗ ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟ ଡକ୍ଟର ଫକୀର ମୋହନ ନାହାକଙ୍କ ତିନିଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।

ତେବେ ଏହି ଅବସରରେ ଆୟୋଜିତ ଅନ୍ୟ ଏକ ଉତ୍ସବରେ ପ୍ରଫେସର ଫକୀର ମୋହନ ନାହାକଙ୍କୁ ସ୍ବତନ୍ତ୍ର ପ୍ରଶଂସା ପୁରସ୍କାର ପ୍ରଦାନ କରାଯାଇଥିଲା।ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟର କୁଳପତି ସର୍ଦାର ସତନାମ ସିଂହ ସନ୍ଧୁ ଏହି ପୁରସ୍କାର ତାଙ୍କୁ ପ୍ରଦାନ କରିଛନ୍ତି ।

ପ୍ରଫେସର ଫକୀର ମୋହନ ଏବଂ ପ୍ରଫେସର କମଲଜିତ୍ କୌରଙ୍କ ଯୁଗ୍ମ ସମ୍ପାଦନାରେ ପ୍ରସ୍ତୁତ ଇଂରାଜୀ ପୁସ୍ତକ “ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍” ଉନ୍ମୋଚନ କରାଯାଇଛି । ତେବେ ଏହି ପୁସ୍ତକକୁ ଲିବରାଲ ଆର୍ଟସ୍ ଆଣ୍ଡ ହ୍ୟୁମାନିଟିସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଅନୁରାଗ ବର୍ମା, ସାମ୍ବାଦିକତା ଓ ଗଣଯୋଗାଯୋଗ ନିର୍ଦ୍ଦେଶକ ପ୍ରଫେସର ତ୍ରିଶୁ ଶର୍ମା, ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନର ନିର୍ଦ୍ଦେଶକ ପ୍ରଫେସର ଅସୀମା ବାଙ୍କର ଏବଂ ପ୍ରଫେସର ଆସିତା ଚଢା ଉନ୍ମୋଚନ କରିଥିଲେ । ଏହା ସହିତ ପ୍ରଫେସର ଫକୀର ମୋହନ ନାହାକଙ୍କ ଦ୍ବାରା ରଚିତ ଦୁଇଟି ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ ତଥା “ସ୍ନେହଲତାର ଶେଷ ଚିଠି” ଏବଂ “ଅନ୍ଧଶ୍ରଦ୍ଧା” ମଧ୍ୟ ଉନ୍ମୋଚିତ ହୋଇଯାଇଛି ।

ତେବେ ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍ ପୁସ୍ତକଟି ନୂଆଦିଲ୍ଲୀ ସ୍ଥିତ ମଲିକ ଆଣ୍ଡ୍ ସନସ୍ ପବ୍ଲିଶର୍ସ ଦ୍ବାରା ପ୍ରକାଶିତ ହୋଇଛି । ସେହିଭଳି ଅନ୍ଧଶ୍ରଦ୍ଧା ପୁସ୍ତକକୁ ଭୁବନେଶ୍ବରର ପଶ୍ଚିମା ପବ୍ଲିକେଶନ୍ ଏବଂ ସ୍ନେହଲତାର ଶେଷ ଚିଠି ପୁସ୍ତକକୁ ତୀରତରଙ୍ଗ ପବ୍ଲିକେଶନ ଦ୍ବାରା ପ୍ରକାଶ କରାଯାଇଛି ।