ସଇଁନ୍ତଲା,ଏନ୍ଏନ୍ଏସ୍: କୋଶଳ ରାଜ୍ୟ ଦାବୀରେ ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ନିକଟରେ ଥିବା ବ୍ୟାଙ୍କ ଛକରେ ସ୍ଥାନୀୟ ବଣିକ ସଂଘ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ କୋଶଲ ସମନ୍ୱୟ ସମିତିର ବ୍ଲକ ସଭାପତି ଶାନ୍ତନୁ ରଣାଙ୍କ ନେତୃତ୍ୱରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ଏହାର ପ୍ରଭାବରେ ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ପଶ୍ଚିମ ଓଡ଼ିଶାର ଲୋକେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି । ତେଣୁ ଯେପର୍ଯ୍ୟନ୍ତ ରାଜ୍ୟ ସରକାର କୋଶଳ ରାଜ୍ୟ ଗଠନ ପ୍ରତି ଅଣଦେଖା କରିବେ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୋଶଲ ସମନ୍ୱୟ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି । ୧୨ ଘଣ୍ଟିଆ ବନ୍ଦ ଡାକରାକୁ ଲୋକେ ବହୁ ମାତ୍ରାରେ ସମର୍ଥନ କରିଥିବାବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିଲା । କିନ୍ତୁ ଜାତୀୟ ରାଜପଥ କଡ଼ରେ କୋଶଲ ରାଜ୍ୟ ଦାବିକୁ ନେଇ ବେନର ଲଗା ଯାଇଥିଲେ ହେଁ କେସିଙ୍ଗା ଆଡ଼ରୁ ହଠାତ ଜଣେ ମହିଳା ଆସି ଏହାକୁ ଚିରିବା ପାଇଁ ପ୍ରୟାସ କରିବା ସହ କୋଶଲ ରାଜ୍ୟ ଦାବିକୁ ବିରୋଧ କରିଥିଲେ । ଏନେଇ କିଛି ସମୟ ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଓ ମହିଳାଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମହିଳା ଜଣକ ବଲାଙ୍ଗିରର ପୁଷ୍ପା ବୋଲି ଜଣାପଡ଼ିଛି । ଅନ୍ୟପଟେ ମହିଳାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋଶଳ ସମନ୍ୱୟ ସମିତି ପକ୍ଷରୁ ମଧ୍ୟ ଦାବି କରାଯାଇଛି । ଏଥିରେ ବଣିକ ସଂଘର ସଭାପତି ତରୁଣ ବେହେରା, କଂଗ୍ରେସ ଦଳର ମିଡିଆ ସେଲ ସଂଯୋଜକ ସୁବ୍ରତ ବେହେରା, ଚନ୍ଦ୍ର ଚନ୍ଦନ, ବୁଲୁ ବଗର୍ତ୍ତି, ମହେନ୍ଦ୍ର ଅମାତ, ପପୁ ବାଗ, ଯୁବରାଜ ମହାକୁଡ଼, ବାବୁଲୁ ବୁଡ଼େକ ଓ ଯଦୁମଣି ମନହୀରା ପ୍ରମୁଖ ସାମିଲ ହୋଇଥିଲେ ।