କଂଗ୍ରେସରେ ଯୋଗଦେଲେ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ନେତା

ବଲାଙ୍ଗିର,ଏନ୍ଏନ୍ଏସ୍: ଜିଲ୍ଲା ଯୁବ ବିଜେଡି ସୋସିଆଲ ମିଡିଆ କୋଡିନେଟର ଇଂ. ଦେବୀ ପ୍ରସନ୍ନ ମହାକୁର ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସ ଦଳର ନୀତି ଆଦର୍ଶ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଜନାଭିମୁଖୀ ନେତୃତ୍ୱରେ ତାଙ୍କୁ ଅନୁପ୍ରାଣିତ କରିଛି। ତା’ ଛଡା ବିଜେଡି ଦଳର ଅନ୍ୟାୟ, ଅତ୍ୟାଚାର ତଥା ଦଳୀୟ କର୍ମୀଙ୍କୁ ଅଣଦେଖା ପାଇଁ ସେ ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦେଇଥିବା କହିଛନ୍ତି।

ଶନିବାର ଦିନ ଶ୍ରୀ ମହାକୁର ନିଜ ସମର୍ଥକଙ୍କ ସହ ବିଧାୟକ ଶ୍ରୀ ମିଶ୍ରଙ୍କ ବାସଭବନକୁ ଯାଇ ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗଦେଇଥିଲେ। ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ପୁଷ୍ପମାଲ୍ୟ ଦେଇ ତାଙ୍କୁ ଦଳରେ ସ୍ୱାଗତ ଜଣାଇଥିଲେ। ଦେବୀ ପ୍ରସନ୍ନଙ୍କ ଯୋଗଦାନ ଫଳରେ କଂଗ୍ରେସ ସୋସିଆଲ ମିଡିଆ ଆହୁରି ମଜଭୁତ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଲୋପନ ମିଶ୍ର, ନାସିର ଖାନ, ରାହୁଲ ସାହୁ, ଅଶ୍ୱିନୀ ସାହୁ ପ୍ରମୁଖ କଂଗ୍ରେସ ଯୁବ ନେତା ଉପସ୍ଥିତ ଥିଲେ।