ଥାଇଲ୍ୟାଣ୍ଡରେ ସିରିଜ ବୋମାମାଡ, ୭ ଆହତ

ଥାଇଲ୍ୟାଣ୍ଡ,ଏଜେନ୍ସି: ଥାଇଲ୍ୟାଣ୍ଡର ଏକାଧିକ ସ୍ଥାନରେ ବୋମାମାଡ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଦକ୍ଷିଣ ଥାଇଲ୍ୟାଣ୍ଡର ଏକାଧିକ ସ୍ଥାନକୁ ଏକକାଳୀନ ଟାର୍ଗେଟ କରି ବୋମାମାଡ କରାଯାଇଛି । ଏଥିରେ କେହି ପ୍ରାଣ ହରାଇନଥିବା ବେଳେ ପ୍ରାୟ ୭ ଜଣ ଆହତ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରୀ ପରେ ଏହି ସିରିଜ ଆକ୍ରମଣ ଘଟିଥିବା ଥାଇଲ୍ୟାଣ୍ଡ ସେନା ସ୍ପଷ୍ଟ କରିଛି । ଏହି ଆକ୍ରମଣ ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ବାରା ହୋଇଥିବା ସନ୍ଦେହ କରାଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ବିଦ୍ରୋହୀ ଗୋଷ୍ଠୀ କିମ୍ବା ସଂଗଠନ ନିଜର ସମ୍ପୃକ୍ତି ସ୍ବୀକାର କରିନାହାନ୍ତି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶର ଦକ୍ଷିଣ ଭାଗରେ ଥିବା ସହରରେ ପ୍ରାୟ ୧୭ଟି ସ୍ଥାନରେ ଏହି ଆକ୍ରମଣ ହୋଇଛି । ବିଶେଷ କରି ସପିଂମଲ ଓ ଗ୍ୟାସ ଷ୍ଟେସନକୁ ଟାର୍ଗେଟ କରିଛନ୍ତି ଆକ୍ରମଣକାରୀ । ରାତିରେ ଆକ୍ରମଣ ହୋଇଥିବାରୁ କେହି ପ୍ରାଣ ହରାଇ ନଥିବା ବେଳେ ମାତ୍ର ୭ ଜଣ ଆହତ ହୋଇଛନ୍ତି । ୨୦୦୪ରୁ ଥାଇଲ୍ୟାଣ୍ଡରେ ବିଦ୍ରୋହ ଜାରି ରହିଛି । ଦେଶର ୩ ପ୍ରଦେଶରେ ଜାରି ରହିଥିବା ଏହି ବିଦ୍ରୋହରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ ହଜାର ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ସରକାରୀ ଭାବେ କୁହାଯାଏ ।

ବୌଦ୍ଧ ଧର୍ମାବଲମ୍ବୀ ରାଷ୍ଟ୍ର ଥାଇଲ୍ୟାଣ୍ଡରେ ଅଳ୍ପସଂଖ୍ୟକ ଭାବେ ଇସଲାମ ସମ୍ପ୍ରଦାୟର ଉପସ୍ଥିତି ମଧ୍ୟ ରହିଛି । କିନ୍ତୁ ସେମାନେ ଦେଶରେ ଉଚିତ ଗୁରୁତ୍ବ ନ ପାଇବା ସହ ଦ୍ବିତୀୟ ଶ୍ରେଣୀର ନାଗରିକ ପରି ଉପେକ୍ଷିତ ହେଉଥିବା ଅଭିଯୋଗ କରିଆସିଛି ଇସଲାମ ପକ୍ଷ । କିଛି ସ୍ଥାନରେ ସେମାନଙ୍କ ସଂଖ୍ୟାବହୁଳତା ଥିବା ଯୋଗୁ ସେମାନେ ଗତ ୩ ଦଶନ୍ଧି ଧରି ଏପରି ବିଦ୍ରୋହ ଜାରି ରଖିଛନ୍ତି ।