ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଅଞ୍ଚଳରେ ଗତ କିଛିଦିନ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଯୋଗୁ ଏହା ବିରୁଦ୍ଧରେ ପାଟଣାଗଡ଼ ବଣିକ ସଂଘ ସ୍ୱର ଉତ୍ତୋଳନ କରିଛି । ପାଟଣାଗଡ଼ ଜନଗହଳିପୂର୍ଣ୍ଣ ରାସ୍ତାରେ ଥିବା ଅମୃତ କଲସ ସୁନା ଗହଣା ଦୋକାନରୁ ୬ଜଣ ଦୁର୍ବୁତ୍ତ ମାଲିକ ମୁକେଶ ଜୈନଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧୁକ ଦେଖାଇ ୨କେଜି ଓଜନ ସୁନା ଗହଣା ସହ ନଗଦ ୪୦ ହାଜର ଟଙ୍କା ଲୁଟି ନେବାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଧରିବାରେ ବିଫଳ ହୋଇଛି । ଏହି ଘଟଣାକୁ ବଣିକ ସଂଘ ତୀବ୍ର ନିନ୍ଦା କରିବା ସହ ଏହା ସମଗ୍ର ପାଟଣାଗଡ଼ ଅଞ୍ଚଳର ଜନସାଧାରଣଙ୍କୁ ମର୍ମାହତ ଓ ବ୍ୟଥିତ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି । ଏହା କେବଳ ଗୋଟିଏ ଘଟଣା ନୁହେଁ ସ୍ଥାନୀୟ ପୁଲିସର ଅପାରଗତା ଯୋଗୁ ବର୍ତ୍ତମାନ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବଣିକ ସଂଘ ଅଭିଯୋଗ କରିଛି । ପାଟଣାଗଡ଼ ପ୍ରଶାସନ ଓ ପୁଲିସ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିବାକୁ ସଂଘ ଆବେଦନ କରିଛି । ଅଞ୍ଚଳବାସୀଙ୍କ ଆସ୍ଥା ଓ ବିଶ୍ୱାସ ହରାଇ ବସିବା ପୂର୍ବରୁ ଏକ ଉଚିତ ପଦକ୍ଷେପ ନେବା ସହ ଲୁଟ ହୋଇଥିବା ଡ଼କାୟତଙ୍କୁ ତୁରନ୍ତ ଧରିବା ପାଇଁ ବଣିକ ସଂଘ ଦାବି କରିଛି । ଯଦି ଆଗାମୀ ୭ଦିନ ମଧ୍ୟରେ ଲୁଟ ହୋଇଥିବା ସୁନା ଗହଣା ଦୋକାନର ଡକାୟତଙ୍କୁ ଧରା ନଯାଏ ତେବେ ପାଟଣାଗଡ଼ ବନ୍ଦ ଡାକରା ଦିଆଯିବ ବୋଲି ସଂଘର ସଭାପତି ରାଜେଶ ମେହେର ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବଣିକ ସଂଘର ବହୁ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଦୀପ ବଂଶଲ, ମୋହନ କୁଦେଇ, ପ୍ରଫୁଲ୍ଲ ମେହେର, ମୁକେଶ ସାହୁ, ମୁକେଶ ଜୈନ, ମନୋଜ ଅଗ୍ରୱାଲ, ମୁକେଶ ଶର୍ମା, ସାରସ ଜୈନ ଓ ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।