ଓଡ଼ିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ ଦାରିଦ୍ର୍ୟ, ଅଭାବ, ଅନଟନ ଏବଂ ଅଶିକ୍ଷା ପାଇଁ ସର୍ବାଧିକ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ଅବହେଳାର ଶିକାର ହୋଇଛି। ଫଳରେ ଏବେବି ଜିଲ୍ଲାର ଏଭଳି ଗାଁ ଅଛି ଯେଉଁଠି ସବୁଦିନିଆ ରାସ୍ତା କିମ୍ବା ପୋଲଟିଏ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ହଇରାଣ ହେଉଛନ୍ତି। ଏମିତି କି କୋମଳମତି ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ପାଞ୍ଚଫୁଟ ପାଣିରେ ଅତି ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି।
କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ହର୍ଡାପଡ଼ାରେ ରହିଛି ଏମିତି ସ୍ଥାନ। ଗୋଲାମୁଣ୍ଡା ବ୍ଲକ୍ର ଗଣ୍ଡାମେରଠାରୁ ହର୍ଡାପଡ଼ା ଯିବାକୁ ହେଲେ ବାଟରେ ପଡ଼େ ଚିରସ୍ରୋତା ହସ୍ନି ନାଳ। କିନ୍ତୁ ନାଳ ପାର ହେବା ପାଇଁ ନା ଅଛି ପୋଲ କିମ୍ବା ଡଙ୍ଗାର ବ୍ୟବସ୍ଥା। ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏକ ଦଉଡ଼ିରେ ନାଳ ପାରି ହେଉଛନ୍ତି। ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଭିଭାବକମାନେ ଏକତ୍ର ହୋଇ କାନ୍ଧରେ ବିପଦପୂର୍ଣ୍ଣ ଭାବେ ପାଞ୍ଚଫୁଟ ପାଣିକୁ ପାରି କରାନ୍ତି ଓ ପୁଣି ସ୍କୁଲ ଛୁଟି ପରେ ନାଳ ପାରି କରାଇଥାନ୍ତି।
