ବିକାଶ ଆଡ଼କୁ କୋଟିଆ

ସୁବୋଧ କୁମାର ଚେଟ୍ଟୀ, କୋରାପୁଟ

କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଚାଲିଥିବା ବିବାଦର କୌଣସି ସମାଧାନ ପନ୍ଥା ବାହାରିନଥିଲେ ମଧ୍ୟ ଆନ୍ଧ୍ରର ନାଲି ଆଖିକୁ ଓଡ଼ିଶା କଡା ଟକ୍କର ଦେବା ଆରମ୍ଭ କରିଛି। ଗତ ଏକ ବର୍ଷର୍ ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ କୋଟିଆ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରି କୋଟିଆ ଓଡ଼ିଶାର ବୋଲି ପ୍ରମାଣିତ କରିବାକୁ ଉଦ୍ୟମ ଜାରି ରଖିଛି।

୨୦୧୮ ରେ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ କୋଟିଆ ପଞ୍ଚାୟତ ସଦର ମହକୁମାରୁ ଶୁଭାରମ୍ଭ କରି ଜିଲ୍ଲା ପ୍ରଶାସନ ଆନ୍ଧ୍ର ପ୍ରଦେଶକୁ ଉଚିତ୍ ଜବାବ ଦେଇଥିଲେ। ଓଡ଼ିଶା-ଆନ୍ଧ୍ର ସୀମା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ବେଆଇନ ଭାବେ କଙ୍କ୍ରିଟ ରାସ୍ତା, ସ୍କୁଲଗୃହ, ଅଙ୍ଗନବାଡ଼ି କେନ୍ଦ୍ର, ପାନୀୟଜଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ କରାଯିବା ସହ ରାସନକାର୍ଡ ପ୍ରଦାନ ସାଙ୍ଗକୁ ଗ୍ରାମବାସୀଙ୍କୁ ଭୋଟ ଦାନରେ ସାମିଲ କରାଯାଉଥିବାବେଳେ ଓଡ଼ିଶା ସରକାର କୋଟିଆର ବିକାଶ ନିମନ୍ତେ ୧୫୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରି ଆନ୍ଧ୍ରକୁ ଚକମା ଦେଇଥିଲେ।

ନିଜ ଅଞ୍ଚଳ ବୋଲି ଆନ୍ଧ୍ର ପ୍ରଦେଶ ଦାବି କରୁଥିବା ଗଞ୍ଜେଇ ପଦର, କୋଟିଆ, ସିଡି ୱାଲସା, ଉପର ସେମ୍ବି, ତଳ ସେମ୍ବି, ଧୁଳି ପଦର, ଆରଜୁ ୱାଲସା, ନେରଡିୱାଲସା, ତାଡି ୱାଲସା, ମାର୍କାର, ବର୍ଣ୍ଣପାଡୁ, ଡଲିଆମ୍ବ, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡା, କର୍ଣ୍ଣଦୋରା, ହରମାଣ୍ଡିଙ୍ଗି, ମହିପାଣି, ରଣାସିଂ, ପନିକି ଓ ସୀମାଗଡ଼ା ପ୍ରମୁଖ ୨୧ଟି ଗ୍ରାମରେ ବର୍ତ୍ତମାନ କୋରାପୁଟ ଉପ-ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପ୍ରଶାସନ ଦ୍ୱାରା ବିକାଶ କାର୍ଯ୍ୟ ଆଗେଇ ଚାଲିଛି। ପଟ୍ଟାଙ୍ଗି ବ୍ଲକ୍ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ, ସୁନାବେଡ଼ା ଡିଭିଜନ୍, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ, ପୂର୍ତ୍ତ ବିଭାଗ କୋରାପୁଟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ବିଭାଗ ଦ୍ୱାରା କୋଟିଆର ବିକାଶକୁ ଆଗେଇ ନିଆଯାଉଛି।

ସୂଚନା ଅନୁଯାୟୀ, କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୧୫୦ କୋଟି ଟଙ୍କାର ପ୍ୟାକେଜ୍ରୁ ବର୍ତ୍ତମାନ୍ ୩୦ ଲକ୍ଷ ଟଙ୍କା ବ୍ୟୟରେ କୋଟିଆ ଠାରୁ କାଟ୍ରାଗଡ଼ାକୁ ପାହାଡ଼ କାଟି ରାସ୍ତା କରାଯାଉ ଥିବା ବେଳେ ତଳ ଗଞ୍ଜେଇପଦରରେ ଗ୍ରାମୀଣ ଆବାସ ଯୋଜନାରେ ଘର, କୋଟିଆରେ ହାଟ ପିଣ୍ଡି, ଯାତ୍ରୀ ପ୍ରତୀକ୍ଷାଳୟ, ମୋବାଇଲ୍ ଟାୱାର୍ ନିର୍ମାଣ କରାଯାଉଛି। ସେହିପରି ହସ୍ପିଟାଲ୍ ବିଲ୍ଡିଂ ସମେତ କର୍ମଚାରୀ ବାସଗୃହ, ଗଞ୍ଜେଇପଦରରେ କୋଟିଆ ହାଇସ୍କୁଲର ଛାତ୍ରାବାସ, କୋଟିଆରେ ଶ୍ରେଣୀ ଗୃହ ଓ ଛାତ୍ରୀ ନିବାସ, କ୍ଲଷ୍ଟର୍ ହାଉସ୍ ଇତ୍ୟାଦି କାର୍ଯ୍ୟ ଚାଲିଥିବାବେଳେ କୋରାପୁଟ ଆର୍ ଏଣ୍ଡ୍ ବି ଡିଭିଜନ ଦ୍ୱାରା କୋଟିଆ-ତୁରିଆ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଚାଲିିଛି।

 

ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ବିଭିନ୍ନ ବିଭାଗ ମାଧ୍ୟମରେ କୋଟିଆରେ ୪୫-୫୦ କୋଟି ଟଙ୍କା ଖର୍ଚ୍ଚ କରା ଯାଇଥିବାବେଳେ ବର୍ଷା କମିବା ପରେ ବିକାଶର ଧାରା ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନା ଥାଉକି, ୨୦୧୮ ଜାନୁଆରୀ ୯ତାରିଖରେ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ବିବେକ ଯାଦବ, ସାଲୁରର ପୂର୍ବତନ ବିଧାୟକ ବିଭିନ୍ନ ଲାଇନ ବିଭାଗ ଅଧିକାରୀଙ୍କ ସହ କୋଟିଆ ପଞ୍ଚାୟତର ତଳଗଞ୍ଜେପଦର ଗସ୍ତ କରି ଲୋକଙ୍କୁ ଏକ ହଜାର ଟଙ୍କା ଲେଖାଏ ବାର୍ଦ୍ଧକ୍ୟ, ବିଧବା ଭତ୍ତା, ସୋଲାର ଲାଇଟ, କମ୍ବଳ ପ୍ରଦାନ କରିବା ଘଟଣା ଜଣାପଡ଼ିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା। କେବଳ ପ୍ରଶାସନିକ ଅଧିକାରୀ ନୁହଁ, ବିଭିନ୍ନ ରାଜନୈତିକ ଦଳର ନେତା କୋଟିଆ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର କୋଟିଆ ପାଇଁ ୧୫୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ।