ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଏହି ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଆଜି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଦେଶ ଓ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦ୍ରୁତ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କୋଭିଡ଼୍ ଲଢ଼େଇର ମାତ୍ର ୧୮ ମାସ ମଧ୍ୟରେ ୨୦୦ କୋଟିରୁ ଅଧିକ ଟିକାକରଣ କରାଇ ଭାରତ ସାରା ବିଶ୍ୱରେ ଇତିହାସ ରଚିଛି, ଯାହା ଖୁସିର ବିଷୟ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ଭାରତ ଆଜି ସମଗ୍ର ବିଶ୍ୱରେ ଏହି ବିରାଟ ବଡ଼ ସଫଳତା ହାସଲ କରିପାରିଛି । ନିରାପଦ ଏବଂ ପ୍ରଭାବଶାଳୀ କୋଭିଡ଼ ଟିକା ଉପଲବ୍ଧ କରାଇ ଆମ ଦେଶ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବା ସଙ୍ଗେସଙ୍ଗେ ତ୍ୱରିତ ଟିକାକରଣ ପ୍ରକ୍ରିୟାକୁ ନିଶ୍ଚିତ କରିଛି । ଏହାର ସଫଳତା ପଛରେ ଦେଶର ଲକ୍ଷ ଲକ୍ଷ ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି ଏବଂ ଏଥିପାଇଁ ଆମେ ସମସ୍ତେ ତାଙ୍କ ପାଖରେ ଋଣୀ ।