ନୂଆଦିଲ୍ଲୀ/ଭୁବନେଶ୍ବର,ଏନ୍ଏନ୍ଏସ୍: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ନୂଆଦିଲ୍ଲୀ ସ୍ଥିତ ଲୋକସଭା ସଚିବାଳୟରେ ହୋଇଛି ଉଭୟ ନେତାଙ୍କ ଭେଟଘାଟ । ବୈଷୟିକ ଜ୍ଞାନକୌଶଳ ବ୍ୟବହାରରେ ଓଡିଶା ବିଧାନସଭାକୁ ଦେଶର ଏକ ଆଦର୍ଶ ବିଧାନସଭାରେ ପରିଣତ କରିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି ।
ଲୋକସଭା ବାଚସ୍ପତି, ଓଡିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ବାବଦରେ ପଚାରି ବୁଝିଛନ୍ତି । ନିକଟରେ ଶେଷ ହୋଇଥିବା ଓଡିଶା ବିଧାନସଭାର ବଜେଟ ଅଧିବେଶନ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ପରିଚାଳନା ନେଇ ଲୋକସଭା ବାଚସ୍ପତି ବିର୍ଲା ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ଆଗାମୀ ଦିନରେ ଏପରି କାର୍ଯ୍ୟଧାରା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଓଡିଶାର ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ବିକାଶଧାରା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡିଶା ବିଧାନସଭା ବାଚସ୍ପତି ଉପଢୌକନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ପ୍ରଦାନ ପୂର୍ବକ ଲୋକସଭା ବାଚସ୍ପତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଆଲୋଚନା ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ବିଧାନସଭା ବାଚସ୍ପତି ପ୍ରକାଶ କରିଛନ୍ତି ।