ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ଆଇଟିବିପି ଡିଜି ସଞ୍ଜୟ ଆରୋରା । ରବିବାର ଦିଲ୍ଲୀ କମିଶନର ଭାବେ ରାକେଶ ଅସ୍ଥାନାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କଠାରୁ ପରବର୍ତ୍ତୀ କମିଶନର ଭାବେ ଆଇପିଏସ୍ ଆରୋରା ଦାୟିତ୍ବ ଗ୍ରହଣ କରିବେ । ଆରୋରା ବର୍ତ୍ତମାନ ଅର୍ଦ୍ଧ ସାମରିକ ବଳ ଇଣ୍ଡୋ-ତିବ୍ବତ ବର୍ଡର ପୋଲିସର (ଆଇଟିବିପି) ମହାନିର୍ଦ୍ଦେଶକ ଭାବେ ଦାୟିତ୍ବରେ ରହିଛନ୍ତି ।
ଦିଲ୍ଲୀ ପୋଲିସର ପରବର୍ତ୍ତୀ କମିଶନର ଦାୟିତ୍ବରେ ଆରୋରାଙ୍କୁ ନିଯୁକ୍ତ କରାଯାଉଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ୧୯୮୮ ମସିହା ତାମିଲନାଡୁ କ୍ୟାଡରର ଅଧିକାରୀ ଆରୋରାଙ୍କୁ ଅନ୍ତଃରାଜ୍ୟ ଡେପୁଟେସନ ଭାବେ ଏଜିଏମ୍ୟୁଟି କ୍ୟାଡରକୁ ପରିବର୍ତ୍ତନ କରିଥିଲେ କେନ୍ଦ୍ର ସରକାର । ତେବେ ସେ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡର ଅଧିକାରୀ ଭାବେ ରହିଥିବା ଯୋଗୁ ତାଙ୍କୁ ଦିଲ୍ଲୀର କମିଶନର ଭାବେ ନିଯୁକ୍ତି ଦେବାରେ କୌଣସି ସମସ୍ୟା ମଧ୍ୟ ନାହିଁ । ଆସନ୍ତାକାଲି (ଅଗଷ୍ଟ ୧) ଠାରୁ ସେ ଏହି ନୂତନ ଦାୟିତ୍ବ ଗ୍ରହଣ କରିବେ ।
ଇଲେକ୍ଟ୍ରିକାଲ ଇଞ୍ଜନିୟରିଂ ପଷ୍ଠଭୂମିରୁ ଥିବା ସଞ୍ଜୟ ଆରୋରା ୧୯୮୮ରେ ଭାରତୀୟ ପୋଲିସ ସେବାରେ ସାମିଲ ହେବା ସହ ତାମିଲନାଡୁ କ୍ଯାଡର ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏକାଧିକ ଅପରେସନର ନେତୃତ୍ବ ନେଇଥିବା ଆରୋରା ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ଡେପୁଟେସନରେ ଦୀର୍ଘ ବର୍ଷ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ସେ ବର୍ତ୍ତମାନ ଆଇଟିବିପିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅବସ୍ଥାପିତ ଅଛନ୍ତି ।