ଦେବଗଡ଼,ଏନ୍ଏନ୍ଏସ୍: ଦୀର୍ଘ ୩୯ ବର୍ଷ ଧରି ଓଡିଶା ପୁଲିସକୁ ସେବା ପ୍ରଦାନ ପରେ ଆଜି ଚାକିରିରୁ ଅବସର ଗ୍ରହଣ କଲେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ। ଏହି ଅବସରରେ ନିଆରା ଢଙ୍ଗରେ ଏସ୍ପିଙ୍କୁ ବିଦାୟ ଦେଲେ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଗ୍ରାମରକ୍ଷୀ ଠାରୁ ଅତିରିକ୍ତ ଏସ୍ପି ପର୍ଯ୍ୟନ୍ତ ପୁଲିସ କର୍ମଚାରୀ। ଆଜି ମଧ୍ୟାହ୍ନରେ ପୁଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଏକ ସୁସଜ୍ଜିତ ଗାଡିରେ ଏସପି ଶ୍ରୀ ପାଇକରାୟ ସଭାମଞ୍ଚକୁ ଆସିଥିବା ବେଳେ ଅତିଥି ଭାବେ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ ଓ ଏସ୍ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ରହି ଏସପି ଶ୍ରୀ ପାଇକରାୟଙ୍କ କାର୍ଯ୍ୟ ଦକ୍ଷତା ଓ ଜିଲ୍ଲା ପୁଲିସରେ ଶ୍ରୀ ପାଇକରାୟଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲା ପୁଲିସ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
