ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ସହ କିପରି ସ୍ୱାଧୀନତା ଦିବସ ପାଳନ କରାଯିବ ସେନେଇ ସେ ଆଲୋଚନା କରିଥିଲେ । ଗତ ୨ବର୍ଷ କରୋନା ଯୋଗୁ କେବଳ ପତାକା ଉତ୍ତୋଳନ ହୋଇଥିବାବେଳେ ଆଉ ଅନ୍ୟ କୌଣସି ପ୍ରତିଯୋଗିତା ଏବଂ ପୁରସ୍କାର କାର୍ଯ୍ୟକ୍ରମ ହୋଇନଥିଲା । ହେଲେ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତହସିଲଦାର ଚାର୍ଲସ ନାୟକ, ଥାନାଧିକାରୀ କୌଶିକ ମାଝୀ, ବିଇଓ ରସାନନ୍ଦ କର ଓ ସିଡିପିଓ ଅଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ବିଏସଏସଓ କ୍ଷିତିଶ ପ୍ରିୟଦର୍ଶୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପିଏମ୍ ପିଣ୍ଟୁ ନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ସିଆରସିସି ଓ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ ।