ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୭୨ ଦେଶର ୫୦୦୦ କ୍ରୀଡ଼ାବିତ୍ ଭାଗ ନେବେ, ଭାରତର ପତାକା ଧରିବେ ପିଭି ସିଦ୍ଧୁ

ବର୍ମିଂହାମ,ଏଜେନ୍ସି: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅପେକ୍ଷା ଶେଷ ହୋଇଯାଇଛି । ସ୍ଥାନୀୟ ସମୟ ଅନୁସାରେ ଏହା ରାତି ୭ଟାରେ ଆଜି ଉଦ୍‌ଘାଟନୀ ସମାରୋହ ହେବ । ବିଶ୍ୱବ୍ୟାପୀ ପ୍ରାୟ ୫୦୦୦ କ୍ରୀଡ଼ାବିତ୍ ୨୦ଟି କ୍ରୀଡ଼ା ପାଇଁ ୨୮୦ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏଥିରେ ଭାରତର ୨୧୫ ଜଣ ଏଥଲେଟ ସାମିଲ ହୋଇଛନ୍ତି, ଯେଉଁମାନେ କି ୧୫ଟି ଖେଳରେ ଭାଗ ନେବେ । ଅଲିମ୍ପିକ୍ସ ପରେ ଦ୍ୱିତୀୟ ନମ୍ବରର ଖେଳର ମହାକୁମ୍ଭ ୧୨ ଦିନ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଆଜି ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି ।

ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଶଟଲର ପିଭି ସିଦ୍ଧୁ ବର୍ମିଂହାମ-୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‌ଘାଟନୀ ସମାରୋହରେ ଭାରତର ପତାକା ଧରିବେ । ରିୟୋ-୨୦୧୬ ଅଲିମ୍ପିକ୍ସ ଓ ଟୋକିଓ-୨୦୨୦ ଅଲିମ୍ପିକରେ ପଦକ ଜିତିଥିବା ସିଦ୍ଧୁ ଭାରତର ସବୁଠାରୁ ସବୁଠାରୁ ସଫଳ ଏଥଲେଟରେ ସାମିଲ ଅଛନ୍ତି । ତାଙ୍କୁ ଏହି ଦାୟିତ୍ୱ ଅଲିମ୍ପିକ୍ସ ଚାମ୍ପିଅନ ଜାଭଲିନ ଥ୍ରୋଅର ନୀରଜ ଚୋପ୍ରା ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରି ଯିବା ପରେ ଦିଆଯାଇଛି । ସିଦ୍ଧୁଙ୍କ ସହିତ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ରହିବେ ।