ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ସ୍ଥାନକୁ ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ପରିଦର୍ଶନ କରିଛନ୍ତି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀଙ୍କୁ ଡାକି ବ୍ଲକର ଉନ୍ନତି ଦିଗରେ ଆଲୋଚନା କରିଥିଲେ । ଶ୍ରୀ ମାଝୀ ବ୍ଲକର ଅନେକ ଚାଷୀ ଫସଲବୀମାରୁ ବଞ୍ଚିତ ହୋଇଥିବାରୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି କରିଥିଲେ । ପ୍ରଥମେ ବିବିନା ଆଦର୍ଶ ବିଦ୍ୟାଳୟକୁ ଗସ୍ତ କରି ନୂତନ ଭାବେ ନିର୍ମାଣ ହୋଇଥିବା ଛାତ୍ରୀଙ୍କ ହଷ୍ଟେଲକୁ ବୁଲି ଦେଖିବା ପରେ ୫ଟି କାର୍ଯ୍ୟର ତଦାରଖ କରିଥିଲ। ପରେ ବରଗାଁସ୍ଥିତ ନାରୀ ଶକ୍ତି ମସଲା ଉଦ୍ୟାଗ ଛତୁଆ ପ୍ରସ୍ତୁତ କେନ୍ଦ୍ର ଯାଇଥିଲେ । ଛତୁଆ, ଲଡୁ ଓ ହଳଦୀ ଭଳି ଅନେକ ଦ୍ରବ୍ୟର ତଦାରଖ କରିଥିବାବେଳେ ଠିକ ଭାବରେ ମହିଳାଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରାଯାଉଥିବା ନେଇ ନାରୀ ଶକ୍ତିର ସମ୍ପାଦିକା ଗୀତା ଦାସଙ୍କୁ ପ୍ରଶଂସା କରିଥିଲେ । ପରେ କୁଇକେଡ଼ା ସ୍କୁଲକୁ ୫ଟିରେ ସାମିଲ କରାଯାଇଥିବା ନେଇ ତଦାରଖ କରି ତୁରନ୍ତ କାମ ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିପୃଟ ପୋଖରୀକୁ ମନରେଗା ଯୋଜନାରେ ସାମିଲ କରାଯାଇଥିବା ନେଇ ତଦାରଖ କରିବା ସହ ଠିକ ଭାବେ କାମ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।

ଅନ୍ୟପଟେ କିଛି ବର୍ଷ ହେବ ଏଲଏନଟି କମ୍ପାନୀ ଦ୍ୱାରା ମେଘା ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ଘରକୁ ଘର ପାଣି ଯୋଗାଇବା ପାଇଁ ଲକ୍ଷାଧିକ ଟଙ୍କା ଜିଲ୍ଲା ପ୍ରଶାସନ ପକ୍ଷରୁ ଖର୍ଚ୍ଚ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଲୋକେ ପାଣି ପାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବିଭାଗୀୟ ଅଧିକାରୀଙ୍କ ଉପରେ ଜିଲ୍ଲାପାଳ ବର୍ଷିଥିଲେ । ତେବେ କୁଇକେଡ଼ା ଗାଁର ଲୋକେ ଫସଲ ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ନେଇ ଚାଷୀମାନେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିବାରୁ ଜିଲ୍ଲା କୃଷି ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରନ୍ତୁ ମୋ ପାଖରେ ହୋଇପାରିବ ନାହିଁ ବୋଲି ସିଧାସଳଖ ଚାଷୀଙ୍କୁ ବୁଝାଇଥିଲେ । ଏହି ସମୟରେ ବିଡିଓ ଚନ୍ଦ୍ରମଣି ନାଗ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଏପିଡି ଗୁଣନିଧି ନାୟକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ଜେଇ ରୋଜାଲିନ ପରିଡ଼ା, ଏପିଓ ବନଜାବାସିନୀ ଦାସ, ଜେଇ ସନ୍ତୋଷ ବେହେରା, ବିଏଲସି ସୁଧାଂଶୁ ବିଚ୍ଛା, ଶିଷକେଲା ସମିତି ସଭ୍ୟ ଉମାକାନ୍ତ ରଣା ଓ ଇତିଶ୍ରୀ ଦେହୁରି ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।