ପାଟଣାଗଡ,ଏନ୍ଏନ୍ଏସ୍ ବେଲପଡା ବ୍ଲକ ବାଗଦୋର ପଞ୍ଚାୟତର ସମିତି ସଭ୍ୟା ତଥା ବନମାଲ ଗ୍ରାମ ନିବାସୀ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣାରେ ୨ଟି ପର୍ଯ୍ୟାୟରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସୁପାରୀ କିଲର କୁହାଯାଉଥିବା ପଦ୍ମପୁରର ନରେଶ ସାହୁ(୩୨)କୁ ବେଲପଡା ପୁଲିସ ଗତକାଲି ରାତିରେ ଛତିଶଗଡ ରାଜ୍ୟର ରାୟପୁର ନିକଟବର୍ତ୍ତି ସିଲତରାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୨୮ ତାରିଖ ରାତ୍ରି ଭୋଜନ ସାରି ଲୋକନାଥ ନିଜ ଘରେ ଏକ ଚୌକିରେ ବସିଥିବା ବେଳେ ତାଙ୍କ ଧର୍ମପତ୍ନୀ ନିକଟରେ ଏକ ଖଟିଆରେ ନିଜ ନାତି ନାତୁଣୀଙ୍କ ସହ ବସିଥିଲେ। ରାତି ପ୍ରାୟ ୮ ଘଣ୍ଟା ବେଳେ ୫ ଜଣ ଦୁର୍ବୃତ୍ତ ବାଇକରେ ଆସିବା ସହ ସେମାନଙ୍କ ମଧ୍ୟରୁ ୨ ଜଣ ଲୋକନାଥଙ୍କ ପାଖକୁ ଆସି ତାଙ୍କ ଛାତିରେ ବନ୍ଧୁକ ଲଗାଇ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତେବେ ଗ୍ରାମବାସୀ ନିକଟବର୍ତ୍ତୀ ସମସ୍ତ ପୁଲିସ ଥାନାକୁ ଖବର ଦେବା ପରେ ଲାଠୋର ପୁଲିସ ଲାଠୋର- ଧଅଁରାଖମନ ରାସ୍ତାରେ ଥିବା ଏକ ନାଳ ନିକଟରେ ୨ ଜଣ ଅଭିଯୁକ୍ତ ପାଟଣାଗଡ ରାମପାଲିର ରବି ଷାଣ୍ଢ(୨୫) ଏବଂ ନିକଟବର୍ତ୍ତି ଝୁଲେନବର ଗ୍ରାମର ସୀତାରାମ ବିନ୍ଧାଣୀ(୩୧)ଙ୍କୁ କାବୁ କରିଥିଲା।
ସେମାନଙ୍କୁ ପଚରାଉଚୁରା ପରେ ୩୦ ତାରିଖ ଦିନ ଘଟଣା ସହ ସମ୍ପୃକ୍ତ ଅନ୍ୟ ୪ ଜଣ ପାଢେଲ ଗ୍ରାମର ସନ୍ତୋଷ କୁମାର ଦାଶ(୪୨), ବନମାଲ ଗ୍ରାମର ବସୁଦେବ ପ୍ରଧାନ(୫୨), ପାଟଣାଗଡ ସହରର କୁଶଧ୍ୱଜ ମାଝୀ(୨୬) ଓରଫ ରାଜା ଏବଂ ରାମପାଲିର କରୁଣା ବାଗ(୨୩)ଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ତଥା ସୁପାରୀ କିଲର କୁହାଯାଉଥିବା ବରଗଡ ଜିଲ୍ଲା ପଦ୍ମପୁର ସହରର ନରେଶ ସାହୁ(୩୨) କୌଣସି ମତେ ଫେରାର ମାରିବାରେ ସକ୍ଷମ ହୋଇଥିଲା।
ଉକ୍ତ ଦିନଠାରୁ ନରେଶକୁ ଧରିବା ପାଇଁ ପୁଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ବେଳେ ସେ ରାୟପୁର ନିକଟବର୍ତ୍ତି ସିଲତରାଠାରେ କୌଣସି ଏକ କମ୍ପାନୀରେ କାମ କରୁଥିବା ଖବରପାଇ ବେଲପଡା ଥାନାଧିକାରୀ ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଗତକାଲି ରାତିରେ ସେଠାରେ ଚଢଉ କରି ନରେଶକୁ ଗିରଫ କରିବାରେ ସକ୍ଷମ ହୋଇଥିଲା।