ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ପୁଣିଥରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା ଦେଖିବାକୁ ମିଳିଛି । ଏକ ଦୁର୍ଗମ ଅଞ୍ଚଳରେ ରହୁଥିବା ଜଣେ ଆଦିବାସୀ ପ୍ରସୂତିଙ୍କୁ ୧କିମି ଷ୍ଟ୍ରେଚରରେ ବୋହିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ପହଞ୍ଚାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ତିଳେଇବଣି ବ୍ଲକ ଦୁଧିଆନାଳି ପଞ୍ଚାୟତ ଅନ୍ତର୍ଗତ ବାଙ୍କଦର୍ହ ଗ୍ରାମ ମୁଣ୍ଡାସାହିରୁ ତାଲିମ ଲୁଗୁନଙ୍କ ସ୍ତ୍ରୀ ଜ୍ୟୋତି ଲୁଗୁନଙ୍କୁ ଡାକ୍ତରଖାନା ପହଞ୍ଚାଇବା ନେଇ ଗତକାଲି ରାତିରେ ଫୋନ ଯୋଗେ ସୂଚନା ପାଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୧୦୮ ଆମ୍ବୁଲାନ୍ସ ଉକ୍ତ ଠିକଣାକୁ ବାହାରି ଥିଲା । ତେବେ ଉକ୍ତ ଗ୍ରାମ ନିକଟରେ ପହଞ୍ଚିବା ପରେ ପ୍ରସୂତିଙ୍କ ଘର ନିକଟକୁ ରାସ୍ତା ସୁବିଧା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ହୋଇ ନଥିଲା । ସେଥିପାଇଁ ୧୦୮ ଆମ୍ବୁଲାନ୍ସ ନେଇ ଯାଇଥିବା ଇଏମଟି ଦୁଷ୍ମନ୍ତ ସାହୁ, ଚାଳକ ମଣ୍ଟୁ ଛାତ୍ରିଆ ଓ ସହାୟକ ପ୍ରଶାନ୍ତ ପ୍ରଧାନ ଗ୍ରାମବାସୀଙ୍କ ସହାୟତାରେ ପ୍ରସୂତିଙ୍କୁ ଷ୍ଟ୍ରେଚର ଯୋଗେ ୧କିମି ରାସ୍ତା ବୋହି ଆଣିବା ପରେ ୧୦୮ ଆମ୍ବୁଲାନ୍ସ ନିକଟରେ ପହଂଚିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିଳମ୍ବିତ ରାତିରେ ପହଂଚିଥିବା ଜଣାପଡ଼ିଛି ।