ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ସଂସଦରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି । ଭୋଟ ଗଣତି ପ୍ରକ୍ରିୟା ଜୁଲାଇ ୨୧ରେ ହେବ । ସକାଳ ୧୦ଟାରେ ଆରମ୍ଭ ହୋଇ ୫ଟାରେ ଶେଷ ହୋଇଥିବା ନିର୍ବାଚନ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ଅନ୍ୟପଟେ ମୋଟ ୯୯.୧୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି ।
ମତଦାନ ସମୟରେ ଆସାମ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଓଡ଼ିଶା ସମେତ ଆହୁରି ଅନ୍ୟ ରାଜ୍ୟରେ କ୍ରସ ଭୋଟିଂ ହୋଇଛି । ଗୁଜରାଟରେ ରାଷ୍ଟ୍ରବାଦୀ କଂଗ୍ରେସ କନ୍ଧାଲ ପାର୍ଟିର ଏସ ଜାଡେଜା ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାବେଳେ ଓଡ଼ିଶାର ମହମ୍ମଦ ମୋକିନ ମଧ୍ୟ କ୍ରସ ଭୋଟିଂ କରିଛନ୍ତି । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ଜଣେ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ପଞ୍ଜାବର ଅକାଳୀ ଦଳର ବିଧାୟକ ମନପ୍ରୀତ ଅୟାଲୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇନାହାନ୍ତି । ଏଥିସହିତ ମୋଟ ୮ଜଣ ସାଂସଦ ଭୋଟ ଦେଇ ନଥିବା ସୂଚନା ମିଳିଛି ।