ସିଙ୍ଗାପୁର: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସିଙ୍ଗାପୁର ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଜାପାନ ଖେଳାଳି କାବିନ ସାଏନା କାବାକାମୀଙ୍କ ବିରୋଧରେ ସିନ୍ଧୁ ଜବରଦସ୍ତ ବିଜୟ ହାସଲ କରିଛନ୍ତି । ୩୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚକୁ ସିନ୍ଧୁ ୨୧-୧୫ ଓ ୨୧-୧୭ରେ ଜିତିଛନ୍ତି ।
ସୂଚନାଯୋଗ୍ୟ, ହାଇଦ୍ରାବାଦର ୨୭ ବର୍ଷୀୟ ପିଭି ସିନ୍ଧୁ ଚଳିତ ବର୍ଷ ଏସୀୟ ଚାମ୍ପିୟାନସିପରେ କାଂସ୍ୟ ପଦକ ଜିତିଥିଲେ। ଆଉ ଏବେ ୨୦୨୨ ବର୍ଷର ପ୍ରଥମ ସୁପର ୫୦୦ ଟାଇଟେଲରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି । ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଜାପାନର ଅୟା ଅହୋରୀ ଓ ଚୀନର ବାଙ୍ଗ ଝିଙ୍କ ମଧ୍ୟରେ ହେବ । ଉକ୍ତ ମ୍ୟାଚରେ ଯିଏ ଜିତିବ ସିଏ ଆସନ୍ତାକାଲି ଫାଇନାଲରେ ସିନ୍ଧୁଙ୍କୁ ଭେଟିବ ।