ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାଧାରୀ ଆମ ଆଦମି ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି । ଏନେଇ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସୂଚନା ପ୍ରଦାନ କରିଛନ୍ତି ।
ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ, ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ବି ଆମେ ସମ୍ମାନ ଜଣାଉଛୁ । କିନ୍ତୁ ନିର୍ବାଚନରେ ଆମେ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଜୀଙ୍କୁ ସମର୍ଥନ କରିବୁ । ପାର୍ଟିର ସମସ୍ତ ବିଧାୟକ ଓ ସାଂସଦ ୧୮ ତାରିଖରେ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପିଏସି ଏହି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବାସରେ ଆମ ଆଦମି ପାର୍ଟିର ରାଜନୈତିକ ମାମଲା ସମିତି(ପିଏସି)ର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କେଜ୍ରିୱାଲଙ୍କ ସମେତ ମନିଷ ସିସୋଦିୟା, ସଞ୍ଜୟ ସିଂହ, ଗୋପାଳ ରାୟ, ରାଘବ ଚଢ଼ା ଓ ଇମ୍ରାନ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ ।