ସ୍ତ୍ରୀର କଟା ମୁଣ୍ଡ ଧରି ସ୍ୱାମୀ ଚାଲିଲା ୧୨ କିଲୋମିଟର

ଢେଙ୍କାନାଳ,ଏନ୍‌ଏନ୍‌ଏସ୍‌: ସ୍ତ୍ରୀର ୭ ଦୋଷ କ୍ଷମା କରିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିବା ସ୍ୱାମୀ ହରାଇଲା ହିତାହିତ ଜ୍ଞାନ । କଟୁରୀ ଚୋଟରେ ସ୍ତ୍ରୀର ମୁଣ୍ଡକୁ ଶରୀରକୁ ଅଲଗା କଲା ନୃଶଂସ ସ୍ୱାମୀ । ଆଉ ଗୋଟିଏ ହାତରେ କଟା ମୁଣ୍ଡ ଓ ଅନ୍ୟ ହାତରେ କଟୁରୀ ଧରି ରାଜରାସ୍ତାରେ ଦୀର୍ଘ ୧୨ କିମି ଚାଲିଲା । ଏପରି ଲୋମହର୍ଷଣକାରୀ ତଥା ଅଭାବନୀୟ ଘଟଣା ଆଜି ସକାଳୁ ସକାଳୁ ଢେଙ୍କାନାଳର ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ଦେଖିବାକୁ ମିଳିଛି ।

ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଛି ଏଭଳି ନାରକୀୟ କାଣ୍ଡ । ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ସ୍ୱାମୀ । କଟୁରୀରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିବା ପରେ ଗୋଟିଏ ହାତରେ କଟାମୁଣ୍ଡ ଓ ଅନ୍ୟ ହାତରେ ରକ୍ତଲଗା କଟୁରି ଧରି ବିଚ୍ ରାସ୍ତାରେ ୧୨ କିଲୋମିଟର ଚାଲି ଚାଲି ଯୋରନ୍ଦା ଫାଣ୍ଡି ଅଭିମୁଖେ ଯିବା ବେଳେ ବାଟରେ ଲୋକେ ତାକୁ କାବୁ କରିଥିଲେ । ପରେ ପୁଲିସ ପହଞ୍ଚି ସମ୍ପୃକ୍ତ ପତ୍ନୀହନ୍ତାକୁ ଗିରଫ କରିବା ସହ ତା’ ଠାରୁ କଟାମୁଣ୍ଡ ଓ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଜବତ କରିଥିଲା । ସେପଟେ ହତ୍ୟାକାଣ୍ଡ ଘଟିଥିବା ଚନ୍ଦ୍ରଶେଖରପୁର ଗ୍ରାମରେ ଗଁଦିଆ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ମୃତା ମହିଳା ଜଣକ ଚନ୍ଦ୍ରଶେଖରପୁର ଗ୍ରାମର ସଚଳା ମାଝୀ ହୋଇଥିବାବେଳେ ଗିରଫ ଅଭିଯୁକ୍ତ ଜଣକ ନାକଫୋଡ଼ି ମାଝୀ ବୋଲି ଜଣାଯାଇଛି । ତେବେ ହତ୍ୟାକାଣ୍ଡ କାରଣ ସମ୍ପର୍କରେ ପୁଲିସ ତଦନ୍ତ କରୁଥିଲେ ମଧ୍ୟ ସ୍ତ୍ରୀର ପରକୀୟା ପ୍ରୀତି ହିଁ ହତ୍ୟାକାଣ୍ଡର କାରଣ ବୋଲି ଜଣାପଡ଼ିଛି । ଏପରିକି ତାଙ୍କ ସ୍ତ୍ରୀ ଅନ୍ୟ ଜଣଙ୍କ ସହ ଅନୈତିକ ସମ୍ପର୍କ ରଖୁଥିବା ଦେଖି ଏଭଳି ଚରମ ନିଷ୍ପତ୍ତି ନେଇଥିବା ସ୍ୱୀକାର କରିଛି ପତ୍ନୀହନ୍ତା ଅଭିଯୁକ୍ତ ନାକଫୋଡି । ସଚଳାଙ୍କର ଜଣେ ଝିଅ ବିବାହ କରି ସାରିଛନ୍ତି । ଦୁଇ ପୁଅଙ୍କ ମଧ୍ୟରୁ ଜଣ ସାମରିକ ବିଭାଗରେ ଚାକିରି କରୁଥିବାବେଳେ ଅନ୍ୟ ଜଣେ ବାହାରେ ରହି କାମ କରୁଥିବା ଜଣାପଡିଛି ।